୫୫୨ ସ୍କୁଲରେ ନାହିଁ ଛାତ୍ରୀମାନଙ୍କ ପାଇଁ ଶୌଚାଳୟ
ରାଜ୍ୟର ୫୫୨ ସ୍କୁଲରେ ନାହିଁ ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତାଙ୍କ କହିବା ମୁତାବକ, ରାଜ୍ୟର ୪୧୨ଟି ପ୍ରାଥମିକ ବିଦ୍ୟାଳୟ, ୧୧୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୨୫ଟି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନାହିଁ । ତେବେ ଚଳିତ ୨୦୨୪-୨୫ ବର୍ଷରେ ୭୨୪ଟି ବାଳିକା ଶୌଚାଳୟ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ୩ ହଜାର ୫୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେପଟେ ଗୁଣାତ୍ମକ ଶିକ୍ଷାର ବିପର୍ଯ୍ୟସ୍ତ ସ୍ଥିତି ଥିବା କହିଛନ୍ତି ମନ୍ତ୍ରୀ। ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡାଣ ହରଣ। ୬୮.୫ ପ୍ରତିଶତ ପିଲା ଜାଣି ନାହାନ୍ତି ଫେଡାଣ ଏବଂ ୪୫.୮ ପ୍ରତିଶତ ପିଲା ଜାଣି ନାହାନ୍ତି ହରଣ। ଏହି ସଂଖ୍ୟା ପ୍ରତି ବର୍ଷ ବଢି ବଢି ଚାଲିଛି। ୨୦୧୪ ରେ ୬୩.୪ ପ୍ରତିଶତ ପିଲା ଫେଡାଣ ଜାଣି ନଥିବା ବେଳେ ୨୦୨୪ ରେ ୬୯.୫ ପ୍ରତିଶତ ପିଲା ଫେଡାଣ ଜାଣି ନଥିବା ରିପୋର୍ଟ ଆସିଛି। ସେହିପରି ୨୦୧୪ ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନଥିବା ବେଳେ ୨୦୨୪ ରେ ତାହା ବଢିକି ୪୫.୮ ପ୍ରତିଶତ ରେ ପହଁଚିଛି । ବିଧାୟକ ଚକ୍ରମଣି କହଁର ପ୍ରଶ୍ନ ରେ ଲିଖିତ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
