ରାଗ ରୋଷର ମହାପର୍ବ ହେରା ପଞ୍ଚମୀ

ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ ): ରାଗ ରୋଷର ମହାପର୍ବ ହେରା ପଞ୍ଚମୀ । ଶ୍ରୀମହାପ୍ରଭୁଙ୍କୁ ମୋହନ ବିଦ୍ଯା ରେ ବାନ୍ଧିବେ ପାଟ୍ଟମାହାଦେଈ । ମହାପ୍ରଭୁଙ୍କ ବିରହରେ ଅସ୍ଥିର ହେଲେଣି ମା ସାଆନ୍ତାଣୀ । ସବୁ ଧର୍ଯ୍ୟ ସୀମା ଟପିଛି । ଶେଷରେ ବଡ଼ବାଡ଼ ସାଆନ୍ତାଣୀ ମା ବିମଳା ଙ୍କୁ ନିଜର ମନର ଦୁଃଖ ପ୍ରକାଶ କରନ୍ତି ମା ମହାଲକ୍ଷ୍ମୀ, ପଦ୍ମାଳୟାଙ୍କ ଦୁଃଖ ଦେଖି ନପାରି ଲକ୍ଷ୍ମୀଦୂତି ଭାବେ ଗୁଣ୍ଡିଚା ଗମନ କରନ୍ତି ମା ବିମଳା, ସେଠାରେ ମହାପ୍ରଭୁଙ୍କୁ ଭେଟି ମା ଲକ୍ଷ୍ମୀଙ୍କ ବାର୍ତ୍ତା ପ୍ରଦାନ କରନ୍ତି । କିପରି ନବବଧୂ ହୋଇ ଉଦାସ ମନରେ ମାଲକ୍ଷ୍ମୀ ଦେଉଳରେ ଅଛନ୍ତି ସେକଥା ବି ଜଣାଇଥାନ୍ତି ।

ଚିତ୍ତ ବିନୋଦନ ପାଇଁ ସରସ୍ୱତୀ ଠାରୁ ବିଣା ,ସଂଗୀତ ରାଗ ଶିଖୁଛନ୍ତି। ହେଲେ ମନ ବୁଲି ବାଲି ପୁଣି କଳା ଶ୍ରୀମୁଖ କୁ ଖୋଜୁଛି। ଏପଟେ ମହାପ୍ରଭୁଙ୍କ ବାର୍ତ୍ତା ଆସି ମା ବିମଳା, ମା ଲକ୍ଷ୍ମୀ ଙ୍କୁ କହନ୍ତି ଯେ ତୁମ ବିନା କଳା ଶ୍ରୀ ମୁଖ ଗୋଟିକ ଝାଉଁଳି ପଡ଼ିଛି । ମା ସାଆନ୍ତାଣୀ ସଜବାଜ ହୋଇ ମୋହଚୂର୍ଣ ସହ ଗୁଣ୍ଡିଚା ଅଭିମୁଖେ ପ୍ରସ୍ଥାନ କରନ୍ତି । ସେଠି ପହଞ୍ଚିଲା ବେଳକୁ ମହାପ୍ରଭୁ ସନ୍ଧ୍ଯା ଧୂପ ବସିଥାଏ। ମଣିମାଙ୍କ ସାମ୍ନାରେ ଟେରା ବନ୍ଧା ହୋଇଥିବାରୁ ଏବଂ ଆଡ଼ପ ମଣ୍ଡପରେ ଦେଢଶୁର ବସିଥିବାରୁ ପଢ଼ିଆରୀ ଦୁଆର ଆଉଜି ଦିଏ,ଫଳରେ ଲକ୍ଷ୍ମୀ ଓ ନାରାୟଣ ଉଭୟ ପରସ୍ପରଙ୍କୁ ଦର୍ଶନ କରିପାରନ୍ତି ନାହିଁ।

ପୂଜାପଣ୍ଡା ସନ୍ଧ୍ଯା ଧୂପ ସମୟରେ ମା ସାଆନ୍ତାଣୀଙ୍କ ଆଗମନ ଦେଖି ସୁତରାଂ ପୂଜା ଛାଡି ମହାପ୍ରଭୁଙ୍କ ଅଧରମାଳା ପତିମହାପାତ୍ରଙ୍କୁ ପ୍ରଦାନ କରି କହନ୍ତି ମା ସାଆନ୍ତାଣୀଙ୍କୁ ଦେବା ଲାଗି। ପରେ ମା ସାଆନ୍ତାଣୀ ଫେରିବା ବେଳେ ରାଗରେ ଦାଉ ସାଧିବାକୁ ଯାଇ ନନ୍ଦିଘୋଷ ରଥର କିଛି ଅଂଶ କ୍ଷତ କରି ହେରାଗୋହିରା ସାହି ଦେଇ ଲୁଚି କରି ଆସନ୍ତି ବଡ଼ଦେଉଳ। ଏହି ତଥ୍ୟ ଓ ତତ୍ଵକୁ ହେରା ପଞ୍ଚମୀ ବୋଲି ସାଧାରଣରେ ଜଣା ଯାଇଥାଏ।