ଦେଢ଼ମାସ ପରେ ବି ୪୧ ଶବକୁ ମିଳିନି ପରିଚୟ
ବାହାନଗା ଟ୍ରେନ ଦୁର୍ଘଟଣାକୁ ହେଲାଣି ଦେଢ଼ମାସରୁ ଅଧିକ ଦିନ । ଏବେବି ପରିଚୟ ପାଇପାରିନାହାନ୍ତି ୪୧ ମୃତଦେହ । ଏହି ଶବଗୁଡୁକ ଚିହ୍ନଟ ସମ୍ଭବପର ହୋଇପାରିନି । ଦୁର୍ଘଟଣାରେ ମୋଟ ମୃତ୍ୟୁସଂଖ୍ୟା ୨୯୫ ଛୁଇଁଥିବାବେଳେ ମୃତ ଯାତ୍ରୀଙ୍କ ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବର କାରଣ ଓ ଡିଏନଏ ଟେଷ୍ଟ ଦ୍ୱାରା ସମସ୍ତ ମୃତ ଯାତ୍ରୀଙ୍କ ଶବ ହସ୍ତାନ୍ତର ହୋଇଛି କି ନାହିଁ ସେ ସମ୍ପର୍କରେ ରେଳବାଇ ବିଭାଗ ନିରବ ରହିଛି । ତେବେ ଦୁର୍ଘଟଣାରେ ମୃତାହତଙ୍କୁ ଜୁଲାଇ ୧୬ତାରିଖ ସୁଦ୍ଧା ମୋଟ ୨୯.୪୯କୋଟି ଟଙ୍କା ଅନୁକମ୍ପାମୂଳକ ସହାୟତା ବଂଟନ କରାଯାଇଛି ବୋଲି ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଆଜି ରାଜ୍ୟସଭାରେ ସାଂସଦ ଏମ୍ . ସାନମୁଗମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ମୃତ ଯାତ୍ରୀଙ୍କ ମଧ୍ୟରୁ ୨୫୪ଜଣଙ୍କୁ ଚିହ୍ନଟ ପରେ ହସ୍ତାନ୍ତର କରାଯାଇଛି । ବାକି ୪୧ଜଣ ମୃତ ବ୍ୟକ୍ତିଙ୍କ ଚିହ୍ନଟ ହୋଇପାରିନାହିଁ । ଜୁଲାଇ ୧୬ତାରିଖ ସୁଦ୍ଧା ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ, ଗୁରୁତର ଆହତଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ବାବଦରେ ମୋଟ ୨୯.୪୯କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅନୁକମ୍ପା ରାଶି ସମେତ ରେଳବାଇ ମୃତକଙ୍କ ସମ୍ପର୍କୀୟ ଓ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କର ଅବସ୍ଥା ଦେଖି କ୍ଷତିପୂରଣ ପ୍ରଦାନ କରିଛି । ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ ଅଧୀନସ୍ତ ରେଳବାଇ ନିରାପତ୍ତା କମିଶନର ବୈଧାନିକ ତଦନ୍ତ ଶେଷ କରିଛନ୍ତି । ଦୁର୍ଘଟଣାର କାରଣ ମଧ୍ୟ ଜଣାପଡ଼ିଛି । ବାହାନଗା ବଜାର ଷ୍ଟେସନର ଗେଟ୍ ନମ୍ବର-୯୪ଠାରେ ଥିବା ଲେଭଲକ୍ରସିଂ ନିକଟରେ ମରାମତି କାର୍ଯ୍ୟ ଯୋଗୁ ସିଗନାଲଜନିତ ତ୍ରୁଟି ହୋଇଥିଲା । ଆଉ ତ୍ରୁଟିପୂର୍ଣ୍ଣ ସିଗନାଲ ଯୋଗୁ ଏହି ଟ୍ରେନ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାର ତଦନ୍ତ ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିସମେଂଟ ଆକ୍ଟ-୧୯୪୬ ଅନ୍ତର୍ଗତ ସିବିଆଇ ଦ୍ୱାରା କରାଯାଉଛି ।