୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ବି ହେବ ପଲିଗ୍ରାଫ ଟେଷ୍ଟ
ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଇଆଇସିଙ୍କ ସମେତ ୫ ପୁଲିସ୍ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍ ଟେଷ୍ଟ ନିମନ୍ତେ ମିଳି ସାରିଛି ଅନୁମତି। ଏବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଆଉ ୪ ନିଲମ୍ବିତ ପୁଲିସ୍ କର୍ମଚାରୀଙ୍କର ବି ହେବ ପଲିଗ୍ରାଫ ଟେଷ୍ଟ । ଏଥିନିମନ୍ତେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଛି। କୋର୍ଟ ମଧ୍ୟ ଅନୁମତି ଦେଇ ସାରିଛନ୍ତି।
ପୂର୍ବରୁ ଅଭିଯୁକ୍ତ ତଥା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଙ୍କର ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା। ପଲିଗ୍ରାଫ୍ ଟେଷ୍ଟ ପାଇଁ ଦୀନକୃଷ୍ଣ ରାଜି ଥିବାରୁ କୋର୍ଟ ବି ଏହି ଆବେଦନ ଉପରେ ସହମତି ପ୍ରକାଶ କରି ସାରିଛନ୍ତି। ଏଥିନିମନ୍ତେ ଦୀନକୃଷ୍ଣଙ୍କୁ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ। ସେଠାରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ ସହିତ ନାର୍କୋ ଆନାଲିସିସ୍ ଓ ବ୍ରେନ୍ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ ବି ହେବ । ଏବେ ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହୋଇଥିବା ଆଉ ୪ ପୁଲିସ୍ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ବି ଆବେଦନ କରାଯାଇଛି। ଏହି ମାମଲାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଗତ ୨୫ ତାରିଖରେ ଏହି ଘଟଣାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ। ଭରତପୁର ଥାନା ଓ ରୋଡ୍ ରୋମିଓ ଝାମେଲା କରିଥିବା ସ୍ଥାନରେ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ।