ସକାଳୁ ଜଳିଲାଣି ଓଡ଼ିଶା

ଏପ୍ରିଲରେ ରେକର୍ଡ ଭାଙ୍ଗିବ ପାରଦ

ସକାଳୁ ଜଳିଲାଣି ଓଡ଼ିଶା । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ । ସକାଳ ୮ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଉପରେ ୪ ସହର । ବାଲେଶ୍ୱରରେ ସର୍ବାଧିକ ୩୨ ଡିଗ୍ରୀ ରେକର୍ଡ କରାଯାଇଛି । କଟକ ୩୧.୧, ଭୁବନେଶ୍ୱର ୩୦.୮ ଡିଗ୍ରୀ ରେକର୍ଡ ହୋଇଛି । ଚାନ୍ଦବାଲି ୩୦.୪, ପୁରୀ ଓ ସମ୍ବଲପୁରରେ ୩୦ ଡିଗ୍ରୀ ଛୁଇଁଛି । ତେବେ ଏପ୍ରିଲରେ ରେକର୍ଡ ପରେ ରେକର୍ଡ ଭାଙ୍ଗିପାରେ ପାରଦ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ବିଶେଷ କରି ଏଥର ଏପ୍ରିଲରେ ଗ୍ରୀଷ୍ମପ୍ରବାହ ଅବଧି ଅଧିକ ରହିବା ସହ ପାରଦ ଅସ୍ବାଭାବିକ ଭାବେ ବୃଦ୍ଧି ପାଇବ। ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ସ୍ୱାଭାବିକ ତୁଳନାରେ ୬ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଜିଠାରୁ ରାତିରେ ଅନୁଭୂତ ହେବ ଗୁଳୁଗୁଳି। ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନରେ ତାତି ସହ ରାତିରେ ଗୁଳୁଗୁଳି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁଖ୍ୟତଃ ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ଅନୁଭୂତ ହେବ ଉଷ୍ମରାତ୍ରୀ। ଏହାସହ ଆଗାମୀ ୨ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଏପ୍ରିଲ ୪ରୁ ୬ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏହି ସମୟରେ ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲି ମଧ୍ୟ ରାଜ୍ୟର ୮ଟି ସହରରେ ୪୦ ଡିଗ୍ରୀ ଛୁଇଁଥିଲା ପାରଦ।