ଜନ୍ମବେଦୀରେ ଲୀଳା କରିବେ କାଳିଆ ସାଆନ୍ତ

ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଏବେ ରତ୍ନବେଦୀ ନୁହେଁ ଜନ୍ମବେଦୀରେ ଲୀଳା କରିବେ କାଳିଆ ସାଆନ୍ତ । ସେଦିନ ମାକୁ କଥା ଦେଇଥିଲେ , ପ୍ରତିବର୍ଷ ଯେମିତି ହେଲେ ମା ପାଖକୁ ଆସିବେ । ଆଉ ଆଜି କଥା ରଖି ମାଉସୀ ମା ଘରକୁ ଭାଇ ଭଉଣୀଙ୍କୁ ସାଥିରେ ଧରି ଆସିଛନ୍ତି ବିଶ୍ଵ ଚିନ୍ତାମଣି । ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ବିଶ୍ବନିଅନ୍ତା । ଶ୍ରୀଗୁଣ୍ଡିଚାର ଗୋଟିଏ ଦିନ ପରେ ଆଜି ରଥ ଉପରୁ ଆଡପ ପଣ୍ଡପ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ଦାରୁବିଗ୍ରହ । ଏହା ପୂର୍ବରୁ ଆଜି ରଥ ଉପରେ ସମସ୍ତ ନୀତିକାନ୍ତି କରିଥିଲେ ସେବାୟତ। ଦିନ 3ଟା ସୁଦ୍ଧା ସବୁ ନୀତି ସରିବା ପରେ ରଥରୁ ଘୋଡ଼ା ଖୋଲାଯାଇ ଚାର ମାର ଲାଗି ହୋଇଥିଲା । ପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ନୀତି ପରେ ଆଡପ ମଣ୍ଡପ ବିଜେ ଅନୁଷ୍ଠିତ ହୋଇଥିଲା । ଦଇତାପତି ସେବକମାନେ ଦାରୁ ଦିଅଁଙ୍କୁ ରଥ ପହଣ୍ଡି କରି ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି । ଆଜି ଆଡପ ମଣ୍ଡପ ବିଜେ ନୀତି ପରେ ଆସନ୍ତାକାଲି (ଶୁକ୍ରବାର) ଆଡପ ଅବଢା ବାହାରିବ ।

ଆଜି ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ବଡ ଠାକୁର ବଳଭଦ୍ର, ପୁଣି ହଳଦୀ ମୁହିଁ ଦେବୀ ସୁଭଦ୍ରା ଶେଷରେ ମହାବାହୁ ମହାପ୍ରଭୁ ଜଗନ୍ନାଥ ଆଡପ ମଣ୍ଡକୁ ବିଜେ କରିଥିଲେ । ଏବେ ଜନ୍ମଦେବୀରେ ଲୀଳା ଖେଳା କରିବେ ଦାରୁବ୍ରହ୍ମ। କୁହାଯାଏ ରତ୍ନବେଦୀରେ ଦିଅଁଙ୍କୁ ସହସ୍ର ଥର ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ , ଜନ୍ମବେଦୀରେ ଥରେ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ।