ଜମ୍ମୁ-କଶ୍ମୀର ଛାଡ଼ିଲେଣି ୩,୩୩୭ ପର୍ଯ୍ୟଟକ
ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏକ ବଡ଼ ଖବର ଦେଇଛନ୍ତି। ଆକ୍ରମଣ ପରେ ଭୟରେ ଏକାଧିକ ପର୍ଯ୍ୟଟକ ଜମ୍ମୁ-କଶ୍ମୀର ଛାଡ଼ୁଥିବା ସେ ଜଣାଇଛନ୍ତି। ଏହା ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିମାନ ଭଡା ବୃଦ୍ଧି ନକରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛି ବୋଲି ସେ ସୂଚନା ଦେଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଘଟିଥିବା ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆକ୍ରମଣ ପରେ ଦିଲ୍ଲୀ ଓ ମୁମ୍ବାଇ ଭଳି ସହରକୁ ବିମାନ ଭଡ଼ା ୨୦,୦୦୦ ଛୁଇଁବା ଦେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି। ପ୍ରଥମେ, ମନ୍ତ୍ରାଳୟ ଦ୍ୱାରା ଦିଲ୍ଲୀ ଏବଂ ମୁମ୍ବାଇକୁ ଦୁଇଟି ଲେଖାଏଁ ଅତିରିକ୍ତ ବିମାନ ଉଡ଼ାଣ ବ୍ୟବସ୍ଥା କରାଯାଇଥିଲା। ପରେ ବୁଧବାର ଦିନ, ଦିଲ୍ଲୀକୁ ଆଉ ତିନୋଟି ଅତିରିକ୍ତ ବିମାନ ଉଡ଼ାଣ କରୁଛି। ଏପର୍ଯ୍ୟନ୍ତ ୩,୩୩୭ପର୍ଯ୍ୟଟକ ଜମ୍ମୁ-କଶ୍ମୀର ଛାଡ଼ି ସାରିଲେଣି।
ରାମ ମୋହନ ନାଇଡୁ କହିଛନ୍ତି ଯେ, “ଆମେ ଶ୍ରୀନଗରରୁ ପର୍ଯ୍ୟଟକଙ୍କ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛୁ। ଭଡା ବୃଦ୍ଧି ନକରିବା ପାଇଁ ବିମାନ କମ୍ପାନିଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଭଡା ଉପରେ ନଜର ରଖାଯାଇଛି ଏବଂ ଉଚିତ ସ୍ତରରେ ରଖାଯାଇଛି। ଶ୍ରୀନଗରରୁ ଉଡ଼ାଣ କରୁଥିବା ସମସ୍ତ ବିମାନ କମ୍ପାନିଗୁଡ଼ିକୁ ଟିକେଟ ବାତିଲ ଏବଂ ପୁନଃନିର୍ଦ୍ଧାରିତ ଫି’ ଛାଡ଼ କରିବାକୁ କୁହାଯାଇଛି। ଏହା ଏକଜୁଟ ହେବାର ସମୟ। ଆମେ ପ୍ରତ୍ୟେକ ନାଗରିକଙ୍କ ସହିତ ଠିଆ ହୋଇଛୁ ଏବଂ ସବୁ ପ୍ରକାରର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ।”
