ଆତ୍ମସମର୍ପଣ କଲେ ୩୨ ମାଓବାଦୀ
ଆତ୍ମସମର୍ପଣ କଲେ ୩୨ ମାଓବାଦୀ । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲାରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରୁ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ତେଲନାର ଏଲ୍.ଓ.ଏସ୍ ସଦସ୍ୟା ରାମବତୀ କୁଞ୍ଜାମ। ୧ ଲକ୍ଷ ଇନାମୀ ମାସେ ମାଡବି ଓ ଜନତାନା ସରକାର ଅଧ୍ୟକ୍ଷ ଦେବା ଓରଫ ନରେଶ ଆତ୍ମସମର୍ପଣ କରିଛନ୍ତି। ଏହି ତିନିଜଣଙ୍କୁ ଛତିଶଗଡ଼ ପୋଲିସ ତରଫରୁ ୨୫ ହଜାର ଟଙ୍କା ଲେଖାଏ ଚେକ୍ ପ୍ରଦାନ କରାଯିବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଏବଂ ପ୍ରତିମାସରେ ୧୦ ହଜାର ଟଙ୍କା ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ। ଏଥିସହ ତିନିବର୍ଷ ପର୍ୟ୍ୟନ୍ତ ତାଙ୍କୁ ମାଗଣା ଆବାସ ଗୃହ, ଭୋଜନର ସୁବିଧା ସହ ଆତ୍ମ ନିର୍ଭରଶୀଳ, କୃଷି ସମ୍ବନ୍ଧୀୟ ଭୂମି ମଧ୍ୟ ପ୍ରଦାନ କରାଯିବ।ସେହିପରି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ନିକଟରେ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣ ପୁରୁଷ ଓ ୭ ଜଣ ମହିଳା ମାଓବାଦୀଥିବା ଜଣାପଡ଼ିଛି। ଏମାନେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବାବେଳେ ପୋଲିସର କଡ଼ା ସୁରକ୍ଷା ଓ ମାଓବାଦୀ ସଂଗଠନରେ ନିର୍ଯାତନାକୁ ସହି ନ ପାରିବା, ମାଓବାଦୀ ମୂଳ ଉଦ୍ଦେଶ୍ୟରୁ ହଟି ନିରୀହ ଆଦିବାସୀଙ୍କୁ ହତ୍ୟା କରୁଥିବାରୁ ଏମାନେ ସଂଗଠନ ଛାଡ଼ିଥିବା କହିଛନ୍ତି। ତେବେ ଏମାନଙ୍କୁ ସରକାରଙ୍କ ତରଫରୁ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।
