୩୧ ଜଣ ନକ୍ସଲ ନିହତ, ୨ ଯବାନ ସହିଦ
ଛତିଶଗଡ଼ର ବିଜାପୁରରେ ବଡ଼ ଏନକାଉଣ୍ଟର। ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି । ଏଥିରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସୁରକ୍ଷା ବାହିନୀର ୪ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ୨ ଜଣ ଆଖି ବୁଜିଥିଲେ । ବାକି ଦୁଇ ଜଣ ଯବାନ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏକ ଉଚ୍ଚତର କେନ୍ଦ୍ରକୁ ପଠାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ବିଜାପୁର ଏବଂ ନାରାୟଣପୁର ସଂଲଗ୍ନ ମହାରାଷ୍ଟ୍ର ସୀମାନ୍ତ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଜଙ୍ଗଲରେ ରବିବାର ସକାଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ସମୟରେ ଯବାନମାନଙ୍କର ଏକ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ଥିଲେ । ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ବସ୍ତର ପୋଲିସ କହିଛି । ପୋଲିସ ଅନୁସାରେ, ନିହତ ନକ୍ସଲଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ । ଏନକାଉଣ୍ଟର ସ୍ଥଳରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି । ଛତିଶଗଡ଼ରେ ସୁରକ୍ଷା ବାହିନୀ କ୍ରମାଗତ ଭାବେ ନକ୍ସଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି । ବିଜାପୁର ଡିଆରଜି, ଏସଟିଏଫ୍, ସି-୬୦ର ଯବାନମାନେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ।
