ଶୂନ ମୃତ୍ୟୁ ସପ୍ତାହ ଆରମ୍ଭ ହେବା ଦିନଠୁ ବଢୁଛି ଦୁର୍ଘଟଣା ସଂଖ୍ୟା

୩ ଦିନରେ ଗଲାଣି ୩୦ ଜୀବନ

୩ ଦିନରେ ଗଲାଣି ୩୦ ଜୀବନ । ଶୂନ ମୃତ୍ୟୁ ସପ୍ତାହ ଆରମ୍ଭ ହେବା ଦିନଠୁ ବଢ଼ିବାରେ ଲାଗିଛି ଦୁର୍ଘଟଣା ସଂଖ୍ୟା । ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ଡିସେମ୍ବର ପ୍ରଥମ ସପ୍ତାହକୁ ରାଜ୍ୟ ସରକାର ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ଭାବେ ପାଳନ କରୁଛନ୍ତି। ବ୍ୟାପକ ସଚେତନତା ସହ ରାସ୍ତାରେ ଚେକିଂ, ଆହତଙ୍କୁ ତୁରନ୍ତ ଉଦ୍ଧାର, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଆଦି ନେବାକୁ ଜିଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ ଏହି ସପ୍ତାହ ଆରମ୍ଭରୁ ଦୁର୍ଘଟଣା ବଢ଼ିଛି। ‘ଶୂନ୍ୟ ମୃତ୍ୟୁ ସପ୍ତାହ’ର ପ୍ରଥମ ୩ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଡିସେମ୍ବର ୧ ଶୁକ୍ରବାର କେନ୍ଦୁଝର ଜିଲା ବାଲିଯୋଡ଼ି ନିକଟ ଜାତୀୟ ରାଜପଥ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ବିଳମ୍ବିତ ରାତିରେ ଭୁବନେଶ୍ୱର ପାହାଳ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଶନିବାର ନୂଆପଡ଼ା ଜିଲା ଲଖନା ଥାନା ମେଣ୍ଢାଟାଲ ଛକରେ ଡମ୍ପର ଧକ୍କାରେ ବଡ଼ବାପା ଓ ଝିଆରୀଙ୍କ ମୃତ୍ୟୁ ଘଟିଥିଲା। ସେହିଦିନ ଭୁବନେଶ୍ୱର ନୟାପଲ୍ଲୀ ଡେଲଟା ଛକରେ ସ୍କୁଟି ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା। ରବିବାର ମଧ୍ୟ ପାହାଳ ଓ ଚନ୍ଦ୍ରଶେଖରପୁରରେ ଘଟିଥିବା ପୃଥକ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫଳରେ ରାଜ୍ୟ ପରିବହନ ବିଭାଗର ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଏପ୍ରିଲ ୧ରୁ ୭ ପର୍ୟ୍ୟନ୍ତ ପ୍ରଥମ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ହୋଇଥିଲା। ସେହି ସପ୍ତାହରେ ବୌଦ୍ଧ, ରାୟଗଡ଼ା, ସୋନପୁର, ଭଦ୍ରକ, ମାଲକାନଗିରି, ନୟାଗଡ଼ ଓ ସମ୍ବଲପୁରରେ ଦୁର୍ଘଟଣାରେ କୌଣସି ମୃତ୍ୟୁ ହୋଇ ନ ଥିଲା। ହେଲେ ଅନ୍ୟ ଜିଲାଗୁଡ଼ିକରେ ପ୍ରାୟ ୧୨୫ ବଡ଼ ଦୁର୍ଘଟଣାରେ ୭୦ ଜଣଙ୍କ ଜୀବନ ଯାଇଥିଲା। ଏସବୁ ଦୁର୍ଘଟଣା ପାଇଁ ପରିବହନ ବିଭାଗ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲା। ଜାତୀୟ ରାଜପଥଗୁଡ଼ିକରେ ବେଆଇନ ପାର୍କିଂ, ବ୍ରେକ୍‌ଡାଉନ୍‌ ହୋଇଥିବା ବଡ଼ଗାଡ଼ି ଏବଂ ମୃତ ପଶୁପକ୍ଷୀଙ୍କୁ ରାସ୍ତା ମଝିରେ ହଟା ନ ଯିବା ଆଦି କାରଣରୁ ଦୁର୍ଘଟଣା ଅଧିକ ଘଟିଥିବା ବିଭାଗ କହିଥିଲା। ୨୦୨୩ ଜାନୁୟାରୀରୁ ସେପ୍ଟେମ୍ବର ଅର୍ଥାତ ୯ ମାସ ମଧ୍ୟରେ ରାଜ୍ୟରେ ୮ ହଜାର ୯୩୯ ସଡ଼କ ଦୁର୍ଘଟଣାରେ ୪ ହଜାର ୧୭୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ହଜାର ୮୯୮ଜଣ ଆହତ ହୋଇଥିଲେ।