ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି

କାଲି ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ରଥାରୁଢ଼ ତିନି ଦିଅଁ

ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ଭକ୍ତି ଓ ଭାବରେ ବୁଡ଼ିଲା ଶ୍ରୀକ୍ଷେତ୍ର। ସିଂହଦ୍ୱାର ସାମ୍ନାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ରଥାରୁଢ଼ ୩ ଦିଅଁଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼। ଜୟ ଜଗନ୍ନାଥ ଧ୍ୱନୀ ସହ ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳି । ତା ସହ ସିଂହଦ୍ୱାର ସମ୍ମୁଖରେ ସମୂହ ଗୀତଗୋବିନ୍ଦ ଗାନ ସୃଷ୍ଟି କଲା ଅପୂର୍ବ ଭକ୍ତିମୟ ପରିବେଶ। ସିଂହଦ୍ୱାର ଅଭିମୁଖେ ଆସିବା ବାଟରେ ମାଉସୀ ମାଆ ମନ୍ଦିର ନିକଟରେ ଶ୍ରୀଜିଉଙ୍କୁ ପୋଡ଼ପିଠା ଲାଗି ହୋଇଥିଲା। ଏହାପରେ ଲକ୍ଷ୍ମୀ-ନାରାୟଣ ଭେଟ ପାଇଁ ଶ୍ରୀନଅର ସମ୍ମୁଖରେ ଅଟକିଥିଲେ କାଳିଆ ସାଆନ୍ତ । ଶ୍ରୀନଅରରୁ ବାହାରି ମାଆ ଲକ୍ଷ୍ମୀଙ୍କୁ ରଥ ନିକଟକୁ ଆଣିଥିଲେ ଗଜପତି। ଏହାପରେ ରୀତିନୀତି ମୁତାବକ ଲକ୍ଷ୍ମୀନାରୟଣ ଭେଟ ଅନୁଷ୍ଠିତ ହୋଇଥିଲା।

ବୁଧବାର ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ରଥାରୁଢ଼ ତିନି ଦିଅଁ । ମହଣ ମହଣ ରତ୍ନ ଅଳଙ୍କାରରେ ଆଭୂଷିତ ହେବେ ଶ୍ରୀଜିଉ। ତାପରେ ଅଧରପଣା ଏବଂ ଶୁକ୍ରବାର ରହିଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ । ସେପଟେ ଶାନ୍ତି ଶୃଙ୍ଖଳାର ସହ ବାହୁଡ଼ା ଯାତ୍ରା ସରିବା ପରେ, ସିଂହଦ୍ବାର ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରି ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ମହାପ୍ରଭୁଙ୍କ କରୁଣାରୁ ରଥ ଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ ହେଇଥିବା କହିଲେ ମୁଖ୍ୟ ପ୍ରଶାସକ। ସେବାୟତ ମାନେ ସହଯୋଗ କରିଥିବାରୁ ଏବଂ ରଥ ଉପରେ ମୋବାଇଲ ଫୋନ୍ କେହି ବ୍ୟବହାର କରି ନଥିବାରୁ ସେ ସେବାୟତମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ବାରଣ ସତ୍ତ୍ୱେ ରଥ ଉପରେ ଚଢ଼ିଥିବା ଅଣସେବାୟତଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି । ସୁନାବେଶରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ ।