ଆଜିଠୁ ଏପ୍ରିଲ ୪ ଯାଏଁ ଚାଲିବ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବ‌ଜେଟ୍‌ ଅଧିବେଶନ

ସଂସଦର ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେବାକୁ ଯାଉଛି।   ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରି ୩୧ରୁ ଫେବ୍ରୁଆରି ୧୩ ପର୍ଯ୍ୟନ୍ତ ଚାଲିଥିଲା। ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ଇଲେକ୍ଟୋରାଲ ଫଟୋ ପରିଚୟପତ୍ର (ଇପିଆଇସି) ନମ୍ବର ସମାନ ରହିବା, ମଣିପୁରରେ ପୁଣି ହିଂସା ଏବଂ ୱକଫ୍‌ ସଂଶୋଧନ ପ୍ରସଙ୍ଗରେ ସରକାର ଓ ବିରୋଧୀ  ମୁହାଁମୁହିଁ ହେବା ସଙ୍କେତ ମିଳିଛି।   ମଣିପୁରରେ ‘ମୁକ୍ତ ଗମନାଗମନ’ ଲାଗୁ ହେବାପରେ ପୁଣି  ହିଂସାର ନୂଆ ଲହର ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଟ୍ରମ୍ପ ପ୍ରଶାସନର ନୂଆ ଶୁଳ୍କ ନୀତିର ମୁକାବିଲା କ୍ଷେତ୍ରରେ ଭାରତର କୋହଳ ନୀତିକୁ ମଧ୍ୟ ପ୍ରସଙ୍ଗ କରିବା ପାଇଁ ବିରୋଧୀ ଦଳମାନେ ପ୍ରସ୍ତୁତ ହୋଇଛନ୍ତି।  ଇପିଆଇସି ଉପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଅଧିକ ମୁଖର ଥିବା ବେଳେ  ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ଯେ ଆସନ୍ତା ତିନି ମାସ ମଧ୍ୟରେ ଭିନ୍ନ ଭିନ୍ନ ରାଜ୍ୟରେ ରହିଥିବା ସମାନ ନମ୍ବର ହଟାଇବା ପାଇଁ ସଂଶୋଧନମୂଳକ ପଦକ୍ଷେପ ନିଆଯିବ। ଏହି ଅଧିବେଶନରେ ୱକଫ୍‌ ସଂଶୋଧନ ବିଲ୍ ପାରିତ କରିବା ଉପରେ ମଧ୍ୟ ସରକାରଙ୍କ ଫୋକସ୍ ରହିବ। ସରକାରଙ୍କ ପାଇଁ ୱକଫ୍ ସଂଶୋଧନ ବିଲ୍ ଶୀଘ୍ର ପାରିତ ହେବା ଏକ ପ୍ରାଥମିକତା । ଏହା ସହିତ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାର ଅନୁମୋଦନ ପାଇଁ ଏକ ବୈଧାନିକ ସଂକଳ୍ପ ଆଗତ କରିବାର ସମ୍ଭାବନା ରହିଛି।