୨୪ବର୍ଷ ତଳର ଛାତିଥରା ଘଟଣା !

ମହାବାତ୍ୟାର ମହାରୂପ ଦେଖିଥିଲା ଓଡ଼ିଶା !

ଆଜିକୁ ଠିକ୍ ୨୪ ବର୍ଷ ତଳର କଥା । ବୋଧ ହୁଏ କର୍ମମୟ ଜୀବନର ବ୍ୟସ୍ତତା ଆପଣଙ୍କୁ ଏହି ଘଟଣାକୁ ଭୁଲାଇ ଦେଇଥାଇ ପାରେ । ହେଲେ ଆଭାସ ପାଇଲେ କିଏ ଭୁଲି ପାରିବ ସେଦିନର ସେ ଛାତିଥରା ଘଟଣାକୁ । ଆଜି ବି ମନେପଡିଗଲେ ଦେହ ଶିହରି ଉଠେ । ୧୯୯୯ ଅକ୍ଟୋବର ୨୯ ତାରିଖ । ଯେଉଁଦିନ ଓଡ଼ିଶା ଦେଖିଥିଲା ମହାବାତ୍ୟାର କରାଳ ରୂପକୁ । ତାଣ୍ଡବ ରଚିଥିଲା ମହାବାତ୍ୟା ଯାହାକୁ କେବେ ବର୍ଣ୍ଣନା କରିହେବ ନାହିଁ । ୨୯ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁର ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା । ଧ୍ୱଂସଲୀଳା ରଚିଥିଲା ମେଘ ସାଙ୍ଗକୁ ପବନ । ଘଂଟା ପ୍ରତି ୩ ଶହ କିଲୋମିଟର ବେଗରେ ମାଡି ଆସିଥିଲା ପବନ । ଆଉ ରଚିଥିଲା ତାଣ୍ଡବ ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା । ମହାବାତ୍ୟାରେ ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ ।

ମାଡି ଆସିଲା ସମୁଦ୍ର ! ଭସାଇନେଲା ସବୁ କିଛି । କେହି ଜୀବନ ଫେରିପାଇଲେ ଆଉ କେହି ସମୁଦ୍ରର ପ୍ରଖର ସ୍ରୋତରେ ସବୁଦିନ ପାଇଁ ଲୀନ ହୋଇଗଲେ । ଭାଙ୍ଗିଗଲା ଲକ୍ଷ ଲକ୍ଷ ଘର ଉଜୁଡିଗଲା ଚାଷ କ୍ଷେତ । ବାତ୍ୟା ପରର ଦ୍ରୁଶ୍ଯ ଥିଲା ଅତ୍ୟନ୍ତ ଭୟଙ୍କର । କିଏ ବାପା ମା’ ହରାଇଥିଲା ତ ଆଉ କିଏ ହରାଇଥିଲା ପୁରା ପରିବାର । ପାଣି ଛାଡିଗଲା ପରେ ଭାସୁଥିଲା କୂଢକୂଢ ଶବ । ପାରାଦୀପ , ଏରସମା , ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥିଲା । ଯାହାର କଥା ଆଜି ମନେପଡିଗଲେ ଏହି ଅଞ୍ଚଳର ଲୋକ ଚିହିଁକି ଉଠନ୍ତି । ତେବେ ଏହି ସମୟରେ ଦେଖିବାକୁ ମିଳିଥିଲା ଲୋକଙ୍କ ଧୈର୍ଯ୍ୟ । ଆଉ ଯେଉଁ ଧୈର୍ଯ୍ୟ ଆଜି ସେମାନଙ୍କୁ ବଞ୍ଚିବାକୁ ଶକ୍ତି ଦେଇଛି । ସତରେ ମହାବାତ୍ୟାର ରୂପ ଅତ୍ୟନ୍ତ ଭୟଙ୍କର ଥିଲା ।