ଦିଲ୍ଲୀ ବିଧାନସଭାରେ ପ୍ରବଳ ହଙ୍ଗାମା

ବିଧାନସଭାରେ ହଙ୍ଗାମା, ୨୨ ଆପ୍ ବିଧାୟକ ନିଲମ୍ବିତ

ଦିଲ୍ଲୀ ବିଧାନସଭାରେ ପ୍ରବଳ ହଙ୍ଗାମା। ଗୃହରେ ହଟ୍ଟଗୋଳ କରିବାରୁ ୨୨ ଆପ୍ ବିଧାୟକଙ୍କୁ ଦିନକ ପାଇଁ ସସପେଣ୍ଡ କଲେ ବାଚସ୍ପତି । ଆଜି ଗୃହକାର୍ୟ୍ୟ ଆରମ୍ଭ ହେବା ପରେ ଉପ-ରାଜ୍ୟପାଳ ଭି କେ ସକ୍ସେନା ଅଭିଭାଷଣ ରଖିଥିଲେ। ଏହି ସମୟରେ ଆପର ବିଧାୟକମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଅଭିଭାଷଣରେ ବାଧା ସୃଷ୍ଟି କରିଥିଲେ। ବିଜେପି ବିରୋଧରେ ଉଚ୍ଚ ସ୍ୱରରେ ସ୍ଲୋଗାନ ଦେଇଥିଲେ। ସିଏଜି ରିପୋର୍ଟ ଉପସ୍ଥାପନକୁ ନେଇ ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆପ୍ ବିଧାୟକମାନେ ଶାନ୍ତ ରହିବାକୁ ବାଚସ୍ପତି ବିଜେନ୍ଦର ଗୁପ୍ତା ବାରମ୍ୱାର ଅନୁରୋଧ କରିଥିଲେ । କିନ୍ତୁ ସେମାନେ ବାଚସ୍ପତିଙ୍କ ଅନୁରୋଧକୁ ଖାତିର୍ କରିନଥିଲେ । ବରଂ ଅଧିକ ଜୋରରେ ସ୍ଲୋଗାନ ଦେଇଥିଲେ । ତେଣୁ ବାଚସ୍ପତି ବାଧ୍ୟ ହୋଇ ଆପର ୨୨ ଜଣ ବିଧାୟକଙ୍କୁ ଦିନକ ପାଇଁ ସସପେଣ୍ଡ କରିଥିଲେ। ବିରୋଧୀ ଦଳ ନେତ୍ରୀ ଆତିଶୀ ବି ସସପେଣ୍ଡ ହୋଇଛନ୍ତି । ସସପେଣ୍ଡ ହେବା ପରେ ବିଧାନସଭା ବାହାରକୁ ଆସି ଆପ୍ ବିଧାୟକମାନେ ଧାରଣା ଦେଇଛନ୍ତି । ତେବେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବିଧାନସଭାରେ ଅବକାରୀ ନୀତି ଘୋଟାଲା ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି ।