2024ରେ କିଏ ହେବ ସୁକିନ୍ଦା ସମ୍ରାଟ ?

ଯାଜପୁର( ଯଯାତି ଏକ୍ସପ୍ରେସ ବ୍ଯୁରୋ ): ସୁକିନ୍ଦାକୁ ନେଇ ବିରୋଧୀଙ୍କ ମୁଣ୍ଡବିନ୍ଧା । ଦୀର୍ଘ ବର୍ଷ ଧରି ଶୁଭୁଛି ଶଙ୍ଖ । ପାହାଡି ଇଲାକାରେ ଏଥର ପଦ୍ମ ଫୁଟିବ ନା ହାତ ଉଠିବ ନା ପୁଣି ବାଜିବ କି ଶଙ୍ଖ । ଭଭୟ ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ସମୃଦ୍ଧ ଥିବା ସୁକିନ୍ଦା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଯେଉଁଥିପାଇଁ ଏହି ଆସନ ଉପରେ ରାଜ୍ୟର ୩ ପ୍ରମୁଖ ଦଳର ନଜର ରହିଛି । ବିଜେଡି ଗଠନ ପରଠାରୁ ଏହା ସବୁଜ ଗଡରେ ପରିଣତ ହୋଇଛି । ଗତ 5ଟି ନିର୍ବାଚନରେ ସୁକିନ୍ଦାରେ କେବଳ ଶୁଣିବାକୁ ମିଳିଛି ଶଙ୍ଖ ଧ୍ୱନି ।

ଖଣି ଖାଦାନ ଭରା ଏହି ପାହାଡି ଇଲାକାରେ ବାରମ୍ବାର ପଦ୍ମ ଫୁଟିବା ଆଗରୁ ଝାଉଁଳି ପଡୁଛି । ସେହିଭଳି ଦୀର୍ଘ 30ରୁ ଉର୍ଦ୍ଧ୍ଵ ବର୍ଷ ହେଲା ବିଜୟ ପାଇଁ ହାତ ବଢାଉଥିଲେ ମଧ୍ୟ କଂଗ୍ରେସର ‘ହାତ’ମୁଠାକୁ ଆସିପାରୁନାହିଁ ସୁକିନ୍ଦା ଆସନ । କିନ୍ତୁ ଚଳିତଥର ସୁକିନ୍ଦା ଆସନରେ ବିଗ୍ ଫାଇଟ ଦେଖିବାକୁ ମିଳିବ । ସୁକିନ୍ଦା ନିର୍ବାଚନମଣ୍ଡଳୀ ଅଧୀନ କାଳିଆପାଣି କ୍ରୋମ ଉପତ୍ୟକା ଭାବେ ପରିଚିତ। ୧୯୯୦ ମସିହାରୁ ବର୍ଷିୟାନ ନେତା ପ୍ରଫୁଲ୍ଲ ଘଡ଼ାଇ ସୁକିନ୍ଦାକୁ ହସ୍ତମୁଦି କରି ରଖିଛନ୍ତି। ୧୯୯୦ ରୁ ୨୦୦୯ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନରେ ପ୍ରଫୁଲ୍ଲ ଘଡ଼ାଇ ଲଗାତାର ପାଞ୍ଚ ପାଞ୍ଚ ଥର କହିବାକୁ ଗଲେ ଜନତା ଦଳରୁ ୨ଥର ଓ ବିଜେଡ଼ିରୁ ୩ଥର ବିଜୟୀ ହୋଇ ସୁକିନ୍ଦା ରାଜନୈତିକ ଇତିହାସରେ ରେକର୍ଡ କରିଥିଲେ।

2014 ଓ 19 ନିର୍ବାଚନରେ ତାଙ୍କ ପୁଅ ପ୍ରୀତିରଂଜନ ଘଡ଼ାଇ ବି ସୁକିନ୍ଦା ଦଖଲ କରିଥିଲେ । ଅର୍ଥାତ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ନବେ ଦଶକରୁ ଆଜି ପର୍ଯ୍ୟନ୍ତ ଘଡ଼େଇ ପରିବାର ହାତରୁ ଖସିନାହିଁ । ଅନ୍ୟପଟେ ବିଜେଡିର ଅସନ୍ତୁଷ୍ଟ ନେତା ଓ ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରଦୀପ ବଳ ସାମନ୍ତ ବିଜେପିରେ ଯୋଗ ଦେଇ ସଙ୍ଗଠନ ବୃଦ୍ଧିରେ ଲାଗିପଡ଼ିଛନ୍ତି । ତେବେ ଜିଲ୍ଲାରେ ବିଜେପିର ନୂଆ-ପୁରୁଣା ବିବାଦରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ମଧ୍ୟ ବାଦ ପଡ଼ିନାହିଁ । ସୁକିନ୍ଦା ଓ ଦାନଗଦୀ ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ । ସୁକିନ୍ଦା ଖଣି ଉପତ୍ୟକାରେ ପ୍ରଫୁଲ୍ଲ ଘଡ଼ାଇଙ୍କ ଶ୍ରମିକ ସଂଗଠନ ଦଳୀୟ ମେରୁଦଣ୍ଡକୁ ସମ୍ଭାଳୁଛନ୍ତି । ସେ ଦୃଷ୍ଟିରୁ ସୁକିନ୍ଦା ବ୍ଲକରେ କଂଗ୍ରେସ ସଂଗଠନ ତୁଳନାତ୍ମକ ଭାବରେ ଦୁର୍ବଳ ରହିଛି ।

ଗୋଟିଏ ପଟେ ବିଜେଡି ପାଇଁ ସୁକିନ୍ଦା ସମ୍ମାନର ଲଢେଇ ଭାବେ ଉଭା ହୋଇଥିବା ବେଳେ ଅନ୍ୟପଟେ କଡା ଟକ୍କର ଦେଇ ଆସୁଥିବା କଂଗ୍ରେସ ଏଥର କମବ୍ୟାକ କରିବାକୁ ଅଙ୍କ କଷୁଛି । ଆଉ ବିଜେଡି-କଂଗ୍ରେସ ଲଢେଇ ମଧ୍ୟରେ ଉଭୟ ଦଳର ଅସନ୍ତୁଷ୍ଟ ନେତାଙ୍କୁ ନେଇ ଏହି ପାହାଡି ଉପତ୍ୟକାରେ ପଦ୍ମ ଫୁଟାଇବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । କିନ୍ତୁ ପ୍ରାର୍ଥୀ ଚୂଡାନ୍ତ ହୋଇନଥିବାରୁ ପ୍ରଚାର ମୈଦାନ ବେଶି ଉଷ୍ମ ହୋଇନି । ତଥାପି ଟିକେଟ ଲବିରେ ଲମ୍ବା ଧାଡି ଲଗାଇଛନ୍ତି ଆଶାୟୀ ।