ହୋଲିରେ କଟକ ଜଗିବେ ୨୦ପ୍ଲାଟୁନ ଫୋର୍ସ
ରଙ୍ଗର ପର୍ବ ହୋଲି । ଆଉ ଦିନକ ପରେ ରଙ୍ଗୀନ ହେବ ସାରା ଓଡ଼ିଶା । ହୋଲି ରଙ୍ଗରେ ସମସ୍ତେ ହେବେ ମସଗୁଲ । ତେବେ ହୋଲିକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ହୋଲିରେ ବିଶୃଙ୍ଖଳାକାରୀଙ୍କୁ ସାବାଡ କରିବ କମିଶନରେଟ୍ ପୋଲିସ । ହୋଲି ପାଇଁ କଟକ ସହରରେ ମୁତୟନ ହେବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀ । ବିଭିନ୍ନ ସ୍ଥାନରେ ବ୍ଲକିଂ ସହ ନାକା ଲଗାଯିବ । ଏହାସହ ବିଭିନ୍ନ ଗଳିକନ୍ଦିରେ ବାଇକ୍ ପାଟ୍ରୋଲିଂ କରିବ ପୋଲିସ । ମଦ ପିଅ ହୋଲି ଖେଳିଲେ କି ଗାଡ଼ି ଚଳାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ହୋଲି ଖେଳିବା ସମୟର କୌଣସି ଜନସାଧାରଣଙ୍କୁ ହଇରାଣ ନକରି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି ।
ହୋଲି ଖେଳ ପରେ ନଦୀରେ ଗାଧୋଇବା ସମୟରେ ବିଭିନ୍ନ ଦୁର୍ଘଟଣା ଘଟିଥାଏ । ଏହି ଦୁର୍ଘଟଣାକୁ ଏଡ଼ାଇବା ପାଇଁ କଟକ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛି । କଟକର ବିଭିନ୍ନ ନଦୀରେ ବୋଟ୍ ପାଟ୍ରୋଲିଂ ସହ ବିଭିନ୍ନ ଘାଟରେ ମୁତୟନ ହେବେ ୭୦ରୁ ଉର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ । ଏଥିସହ ଯେଉଁଠାରେ ଗଭୀର ପାଣି ଅଛି ବା ପହଁରା ଜାଣିନଥିବା ଲୋକମାନେ କିଭଳି ନଦୀ ଭିତରୁ ନଯିବ ସେ ନେଇ ସଚେତନ କରାଯିବ ବୋଲି କଟକ ଅଗ୍ନିଶମ ଅଧିକାରୀ କହିଛନ୍ତି ।
