ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ
ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ। ମାର୍ଚ୍ଚ ୨୪ ଓ ୨୫ ତାରିଖରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରହିଛି। ୯ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା । ତେବେ ବ୍ୟାଙ୍କ ସଙ୍ଘର ଦାବିକୁ ଶୁଣିବାକୁ ସରକାର ରାଜି ହୋଇଛନ୍ତି ବୋଲି ବ୍ୟାଙ୍କ ଧର୍ମଘଟ ବନ୍ଦ ରହିଲା । ଦୁଇ ମାସ ଭିତରେ ଦାବି ବିଚାର ନେଇ ପ୍ରତିଶ୍ରୁତି ମିଳିଛି ବୋଲି ସଙ୍ଘ କହିଛି । ଦାବି ଶୁଣିବାକୁ ପ୍ରତିଶ୍ରୁତି ପରେ ବ୍ୟାଙ୍କ ଧର୍ମଘଟ ସ୍ଥଗିତ କରାଯାଇଛି । ଯଦି ମାର୍ଚ୍ଚ ୨୪ ଓ ୨୫ ତାରିଖ ଧର୍ମଘଟ ହୋଇଥାନ୍ତା, ତାହା ହେଲେ ମୋଟ ୪ ଦିନ ବ୍ୟାଙ୍କ୍ ବନ୍ଦ ରହିଥାନ୍ତା । କାରଣ ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି । ଏଣୁ ଲଗାତର ୪ ଦିନ ବ୍ୟାଙ୍କ ଛୁଟି ରହିଲେ, ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତେ । ତେବେ ଆଜି ଶ୍ରମ କମିଶନରଙ୍କ ସହ ଆଲୋଚନା ପରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ଧର୍ମଘଟକୁ ସ୍ଥଗିତ ରଖିଛି।
