ପୁରୁଣା ଗାଡ଼ିକୁ ମିଳିବନି ପେଟ୍ରୋଲ୍
ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା। ମାର୍ଚ୍ଚ ୩୧ ତାରିଖ ପରେ ଆଉ ମିଳିବନି ପେଟ୍ରୋଲ। ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡି ଏବଂ ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ସହରରେ ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି ନିୟମ ଅନୁଯାୟୀ, ନିଷିଦ୍ଧ ଗାଡିଗୁଡିକୁ ଜବତ କରାଯିବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଦିଲ୍ଲୀ ସରକାର ୩୧ ମାର୍ଚ୍ଚ ପରେ ସହରର ପେଟ୍ରୋଲ ପମ୍ପଗୁଡ଼ିକରେ ୧୫ ବର୍ଷରୁ ପୁରୁଣା ଗାଡିଗୁଡ଼ିକୁ ପେଟ୍ରୋଲ ଯୋଗାଇବା ବନ୍ଦ କରିବ। ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପାଇଁ ଅଧିକାରୀଙ୍କ ସହ ଏକ ବୈଠକ ପରେ, ସିରସା କହିଛନ୍ତି ଯେ ସରକାର ଯାନବାହନ ର୍ନିଗମନ ଏବଂ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଉଛନ୍ତି। ପୁରୁଣା ଯାନବାହନ ଚିହ୍ନଟ କରିବାରେ ସ୍ମାର୍ଟ ଗ୍ୟାଜେଟ ସାହାଯ୍ୟ କରିବ ବୈଠକରେ ପୁରୁଣା ଯାନବାହନ ଉପରେ ନିଷେଧ, ବାଧ୍ୟତାମୂଳକ ଧୂଆଁ ବିରୋଧୀ ପଦକ୍ଷେପ ଏବଂ ବିଦ୍ୟୁତ ସାର୍ବଜନୀନ ପରିବହନକୁ ସ୍ଥାନାନ୍ତର ସମେତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ଉପରେ ଧ୍ୟାନ ଦିଆଯାଇଥିଲା। ବୈଠକ ପରେ ସିରସା କହିଛନ୍ତି, “ଆମେ ପେଟ୍ରୋଲ ପମ୍ପଗୁଡ଼ିକରେ ଏପରି ଗ୍ୟାଜେଟ ସ୍ଥାପନ କରୁଛୁ ଯାହା 15 ବର୍ଷରୁ ପୁରୁଣା ଯାନଗୁଡ଼ିକୁ ଚିହ୍ନଟ କରିବ ଏବଂ ସେମାନଙ୍କୁ କୌଣସି ଇନ୍ଧନ ଦିଆଯିବ ନାହିଁ। ସେ କହିଛନ୍ତି ଯେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ବିଷୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଜଣାଇବେ। ପୁରୁଣା ଯାନବାହାନକୁ ଇନ୍ଧନ ଯୋଗାଣ ଉପରେ କଟକଣା ଲଗାଇବା ବ୍ୟତୀତ, ବାୟୁ ପ୍ରଦୂଷଣ ସ୍ତର ହ୍ରାସ କରିବା ପାଇଁ ରାଜଧାନୀର ସମସ୍ତ ଉଚ୍ଚ କୋଠା, ହୋଟେଲ ଏବଂ ବାଣିଜ୍ୟିକ କମ୍ପ୍ଲେକ୍ସ ପାଇଁ ଧୂଆଁ-ନିରୋଧୀ ସାଇଲେନ୍ସର ସ୍ଥାପନ କରିବା ବାଧ୍ୟତାମୂଳକ।
