କାଲିଫର୍ଣ୍ଣିଆରେ ବ୍ୟାପୁଛି ଜଙ୍ଗଲ ନିଆଁ
ଆମେରିକା କାଲିଫର୍ଣ୍ଣିଆରେ ବ୍ୟାପୁଛି ଜଙ୍ଗଲ ନିଆଁ । ଲସ୍ ଆଞ୍ଜେଲସର ଆଉ ୨ ଜଙ୍ଗଲକୁ ବ୍ୟାପିଲା ନିଆଁ । ନିଆଁରେ ପୋଡ଼ି ଆଉ ୨ଜଣଙ୍କ ମୃତ୍ୟୁ । ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ହୋଇଛି । ୧ଲକ୍ଷରୁ ଅଧିକ ଲୋକ ଘର ଛାଡ଼ି ସାରିଲେଣି । ସହରର ଅନେକ ଅଂଶ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଜନବସତିକୁ ମଧ୍ୟ ମାଡିଗଲାଣି। ଖାଲି ସେତିକି ନୁହେଁ, ପ୍ରସିଦ୍ଧ ହଲିଉଡ ହିଲ୍ସ ବି ନିଆଁରେ ଜଳୁଛି। ଅନେକ ସେଲିବ୍ରିଟିଙ୍କ ଘର ଜଳି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଲୋକ ଏବେ ବାସହରା। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ଅଛନ୍ତି। ଏହା ସତ୍ତ୍ୱେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିନି। ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅଗ୍ନିକାଣ୍ଡରେ ୧୦ ହଜାର କୋଠା ପୋଡ଼ି ପାଉଁଶ ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ପ୍ରବଳ ପବନ ଯୋଗୁଁ ନିଆଁର ପ୍ରକୋପ ବୃଦ୍ଧି ପାଉଛି ଏବଂ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଅସୁବିଧା ହେଉଛି।
