ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି
ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି । ୧୦ ହଜାର କୋଟି ବ୍ୟୟବରାଦ କଲେ ରାଜ୍ୟ ସରକାର । ଏହି ଯୋଜନା ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାଧୀନତା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢୀଭୂତ କରିବ । ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି ।
ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଶିଳ୍ପ ପୁଞ୍ଜର ପ୍ରତିଷ୍ଠା, ଉତ୍ପାଦିତ ଦ୍ରବ୍ୟ ଗୁଡିକର ବିପଣନ ଓ ପ୍ରଚାର ପ୍ରସାର ନିମନ୍ତେ ୨୦୨୭ ସୁଦ୍ଧା ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧିନସ୍ଥ ଜୀବିକା ସଂଯୋଜକ ପଦକ୍ଷେପ ଗୁଡିକାର ସହାୟତାରେ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ମାଧ୍ୟମରେ ସରକାରୀ ଦ୍ରବ୍ୟ ଓ ସେବା ଆହରଣ, ଗୁରୁତ୍ୱପୂର୍ଣ୍ଣ ସରକାରୀ ବ୍ୟବସାୟ ସୃଷ୍ଟି ଏବଂ ଅଧିକ ଆୟ ଓ ଜୀବିକା ଅର୍ଜନ ସୁଯୋଗ ସୃଷ୍ଟି କରାଯାଇ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି କରାଯିବ । ଏଥି ପାଇଁ ବଜେଟରେ ୧ ହଜାର ୧ ଶହ ୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।