ହସ୍ପିଟାଲରେ ନିଆଁ, ଜଳିଗଲେ ୧୦ ଶିଶୁ
ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଶିଶୁ ରୋଗ ୱାର୍ଡରେ ନିଆଁ ଲାଗିବାରୁ ୧୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସଂଦେହ କରାଯାଉଛି । ହସ୍ପିଟାଲର NICUରେ ପ୍ରଥମେ ନିଆଁ ଲାଗିଥିଲା । ତୁରନ୍ତ ହସ୍ପିଟାଲ କର୍ମଚାରୀ ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରିଥିଲେ । ଗତକାଲି ରାତି ପ୍ରାୟ ୧୦ଟା ୩୫ ମିନିଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବା ମାତ୍ରେ ଶିଶୁ ରୋଗ ୱାର୍ଡରେ ଥିବା ୩୭ ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲରେ ଥିବା ୨ଟି ଶିଶୁରୋଗ ୱାର୍ଡରୁ ଗୋଟିଏ ୱାର୍ଡରେ ନିଆଁ ଲାଗିଥିବା ସୂଚନା ମିଳିଛି । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି ।
କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଏହା ଏକ ହୃଦୟବିଦାରକ ଘଟଣା ବୋଲି କହିଛନ୍ତି ଯୋଗୀ । ନିଆଁ ଲାଗିବା ପରେ ହସ୍ପିଟାଲ ପରିସରରେ ବହୁ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା। କିଏ ନିଜ ଛୁଆର ଜଳନ୍ତା ଶରୀର ଧରି ବୁଲୁଥିଲା ତ କିଏ ନିଜ ଛୁଆକୁ ଖୋଜି ଖୋଜି ମୁଣ୍ଡ ପିଟୁଥିଲା। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ରିପୋର୍ଟ ୧୨ ଘଣ୍ଟାରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।