
ଜଗତର ନାଥ ଜଗନ୍ନାଥ । ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାର ଏକ ମୁଖ୍ୟ ପର୍ବ ସୁନାବେଶ । ଆଶାଢ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁ ମହଣ ମହଣ ସୁନା ପିନ୍ଧି ସଜେଇ ହୁଅନ୍ତି । ଆଉ ଏହି ବେଶ ଦେଖିବାକୁ ଦେଶ ତଥା ଦେଶ ବାହାରୁ ହୋଇଥାଏ ଲକ୍ଷାଧିକ ଭକ୍ତଙ୍କ ସମାଗମ । ତେବେ ଆପଣ ଜାଣିଛନ୍ତି କି କେବେଠୁ ଏହି ସୁନା ବେଶ କରାଯାଉଛି ଶ୍ରୀଜିଉଙ୍କୁ । ଏବଂ ଆପଣଙ୍କ ମନରେ ପ୍ରଶ୍ନ ଥିବା କାହିଁକି ସୁନାରେ ସଜେଇ ହୁଅନ୍ତି ସୁନା ଠାକୁର । ଆସନ୍ତୁ ଜାଣିବା ଏହି ସୁନା ବେଶ ବିଷୟରେ । ଲୋକ କଥା ଦେଖିଲେ ସୁନାବେଶ ପ୍ରଚଳନର ଇତିହାସ ସମ୍ପର୍କରେ ଜଣାଯାଏ ଯେ, ଓଡ଼ିଆ ଜାତିର ପରମାରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଏ ରାଜ୍ୟର ରାଜା ମହାରାଜାମାନେ ସ୍ୱୟଂ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବା ପ୍ରମାଣ ଶିଳାଲେଖରୁ ମିଳୁଛି । ସୂର୍ୟ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ଜଗନ୍ନାଥଙ୍କୁ ଜାତୀୟ ଦେବତା ରୂପେ ପ୍ରଚାରିତ କରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ । ଏପରିକି ଅନଙ୍ଗଭୀନ ଦେବ ଓ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ ଦୁଇବର୍ଷ ଧରି ଅଭିଷେକ ହୋଇନଥିଲେ । କେତେକ ଗବେଷକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ବଡ଼ ତଡ଼ାଉ ବେଶ । ବଡ଼ ତଡ଼ାଉ ବେଶ ମତରେ କପିଳେନ୍ଦ୍ରଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ସେହିଦିନଠାରୁ ଏହି ବେଶ ହୋଇଆସୁଛି । ଏକାଦଶୀ ଦିନ ମଧ୍ୟାହ୍ନ ଧୂପପରେ ସିଂହାରୀ, ପାଳିଆ, ଖୁଣ୍ଟିଆ, ଭଣ୍ଡାର ମେକାପ, ଚାଙ୍ଗଡ଼ା ମେକାପ ପ୍ରଭୃତି ସେବକମାନେ ଏହି ବେଶ କରାନ୍ତି । ରଥ ଉପର ସୁନାବେଶରେ ସୁବର୍ଣ୍ଣ ଅଳଙ୍କାର ଲାଗି ହୁଏ । ଶ୍ରୀ ପୟର ୪ଟି, ଶ୍ରୀ ଭୁଜ୪ଟି, କିରିଟ ୩ଟି, କାନ ୬ଟି, ବାହାଡା ମାଳି ୨ଟି, ସେବତୀ ମାଳି ୩ଟି, ତାବିଜ ମାଳି ଗୋଟିଏ, ହରିଡା କଦମ୍ବ ମାଳି ଗୋଟିଏ, ବାଘ ନଖ ମାଳି ଗୋଟିଏ , କଦମ୍ବ ମାଳି ୪ଟି, ହଳ ଓ ମୂଷଳ ୨ଟି, ଚକ୍ର ଗୋଟିଏ, ଆଡକାନି ୪ଟି, ଚନ୍ଦ୍ର ସୂର୍ଯ୍ୟ ୬ଟି, ଅଳକ ୩ଟି, ଓଡିଆରୀ ୩ଟି, ଚନ୍ଦ୍ରିକା ୨ଟି, ଶଙ୍ଖ ଗୋଟିଏ, ଅଗସ୍ତି ମାଳ ଗୋଟିଏ, ମକର କୁଣ୍ଡଳ ୪ଟି, କମର, ଝୁମ୍ପା ୩ଟି , ନାକୁଆସୀ ୩ଟି, ପାରିଜାତମାନ ୩ଟି । ରଥ ଉପର ବ୍ୟତୀତ ଆଶ୍ୱିନ ମାସ ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ପୁଷ୍ପାଭିଷେକ ଓ ଦୋଳ ପୂର୍ଣ୍ଣିମା ତିଥିରେ ରାଜାଧୁରାଜ ବା ରାଜାରାଜେଶ୍ଵର ବେଶରେ ଏହି ସୁବର୍ଣ୍ଣ ଅଳଙ୍କାର ଲାଗି ହୁଏ । ସୁନା ବେଶ ୫ ଥର ହୁଏ । ଏହି ସୁନା ବେଶ ଜଗନ୍ନାଥଙ୍କୁ ଆମ ଦେଶର ସମ୍ରାଟ ଭାବରେ ବା ରାଜାଧିରାଜ ରୂପରେ ଦର୍ଶନ କରିବାର ଭାବନା ଅଟେ ।
