ସାବଧାନ ମାତିଛି କୁମ୍ଭୀର !

କେନ୍ଦ୍ରାପଡା(ଯଯାତି ଏକ୍ସପ୍ରେସ ବ୍ଯୁରୋ): କେନ୍ଦ୍ରାପଡାରେ ମାତିଛି କୁମ୍ଭୀର । ନଈରେ ଛପି ବସୁଛି କୁମ୍ଭୀର, ଆଉ କିଛି ବୁଝିବା ଆଗରୁ ଝାମ୍ପି ପଡି ନେଉଛି ଜୀବନ । ଆଜି ଜଣେ ବୃଦ୍ଧାଙ୍କୁ ଟାଣି ନେଲା କୁମ୍ଭୀର। ସୂଚନା ଅନୁସାରେ ଆଜି ଭୋରୁ ଘାଗରାଡିହା ଗାଁର ଗଙ୍ଗାଧର ତରାଇ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ଶୌଚ ହେବା ସମୟରେ ହଠାତ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନାହିଁ। ସେପଟେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ବୃଦ୍ଧଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ନଦୀ ତୁଠରେ ତାଙ୍କ ଜୋତା ପଡ଼ିଥିବା ଦେଖିବାକୁ ମିଳିଛି।

ମାସେ ମଧ୍ୟରେ କେନ୍ଦ୍ରାପଡ଼ାରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର। ରଜ ବେଳେ ମାଆ ଆଗରେ ନାବାଳକକୁ ନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର। ସେହିଭଳି ଗତ ୨୨ ତାରିଖରେ ରାଜନଗର ହାତିଆଗଡ଼ି ଗାଁର ଜଣେ ମହିଳାଙ୍କୁ ଟାଣି ନେଇଥିଲା। ଆଜି ପୁଣି ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେବା ପରେ ଅଂଚଳରେ ଆତଙ୍କ ଖେଳିଯାଇଛି।

ବାରମ୍ବାର ଏପରି ଘଟଣା ଘଟୁଥିବା ସତ୍ତ୍ୱେ ଏନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ ନାହିଁ। ଏହାସହ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଭୟର ବାତାବରଣ ଖେଳିଯାଇଛି।