(ଯଯାତି ଏକ୍ସପ୍ରେସ ବ୍ଯୁରୋ ) : ବହୁ ଚର୍ଚିତ ନବରଙ୍ଗପୁରର ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ଠକେଇ ଘଟଣା। ଏବେ ଜେଲ ଗଲେ ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ। ୫ ଦିନିଆ ରିମାଣ୍ଡ ସରିବା ପରେ ପ୍ରଶାନ୍ତଙ୍କୁ ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ସୁନ୍ଦରଗଡ଼ ଜେଲକୁ ପଠାଇ ଦିଆଯାଇଛି। ରିମାଣ୍ଡ ସମୟରେ ପ୍ରଶାନ୍ତଙ୍କ ପାଖରୁ ଆହୁରି ବିପୁଳ ଆୟ ବହିର୍ଭୁତ ସମ୍ପତ୍ତିର ସୁରାଗ ପାଇଛି ଭିଜିଲାନ୍ସ। ଏହି ଜେରା ସମୟରେ ଭିଜିଲାନ୍ସ ୬ଟି ବେନାମୀ ଆକାଉଣ୍ଟରେ କୋଟିଏ ୨୦ ଲକ୍ଷ ଟଙ୍କାର ଡିପୋଜିଟ୍, ଭଦ୍ରକ ଓ ଭୁବନେଶ୍ୱରରେ ୨ଟି ବେନାମୀ ପ୍ଲଟ୍ ସମେତ ୩ଟି ପ୍ଲଟ୍ ଥିବା ସୂଚନା ମିଳିଥିବା ବେଳେ ଅନେକ ଖୋଲତାଡ କରିଛି ଭିଜିଲାନ୍ସ ।
୨୩ ତାରିଖରେ ଭିଜିଲାନ୍ସ ପ୍ରଶାନ୍ତଙ୍କ ଘରେ ରେଡ୍ ବେଳେ ତାଙ୍କ ଘରୁ କେବଳ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କା ନଗଦ ଜବତ କରିଥିଲା। ,ଯାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ । ପ୍ରାଶାନ୍ତ ରାଉତଙ୍କର ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ଦୁଇ ମହଲା କୋଠା, କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ରହିଛି। ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାଙ୍କର ୨ଟି ଚାରିଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି। ଏହି ତିନିଟି ଗାଡ଼ିର ମୂଲ୍ୟ ହେଉଛି ୩୭ ଲକ୍ଷ ଟଙ୍କା। ତାଙ୍କ ଠାରୁ ୨୭.୨୭ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର ଓ ଘରୋଇ ଉପକରଣ ଜବତ କରାଯାଇଛି। ସେହିଭଳି ତାଙ୍କର ବ୍ୟାଙ୍କ ଓ ବୀମା ଜମା ବାବଦକୁ ୯୨ ଲକ୍ଷ ୩୪ ହଜାର ଟଙ୍କା ରହିଛି। ସେଥିରୁ ୩୮ ଲକ୍ଷ ୬୪ ହଜାର ଟଙ୍କା ୨ଟି ବେନାମୀ ଏକାଉଣ୍ଟରେ ରହିଛି।
ନିଜେ ପ୍ରଶାସନିକ ବ୍ୟବସ୍ଥାରେ ରହି କରୁଥିଲେ ବେଆଇନ କାରବାର । ଆଉ ଯାହା ଏବେ ଫାଶୀ ଦଉଡି ପାଲଟିଛି ବାବୁଙ୍କ ପାଇଁ । ଜେଲର ଚାରିକାନ୍ଥ ଭିତରେ ରହି ନିଜ କୁକର୍ମକୁ ମାନେ ପକାଇବେ ପୂର୍ବତନ ଉପଜିଲ୍ଲାପାଳ ।