ରୋଷେଇ ଘରୁ ଉଭାନ ପରିବା

ଦର ବୃଦ୍ଧିରେ ନାହିଁ ଲଗାମ, ଚାଷୀ ପାଉନି ଫାଇଦା

() ହାଣ୍ଡିଶାଳରେ ମହଙ୍ଗା ମାଡ । ରୋଷେଇଘରୁ ଉଭାନ ହେଉଛି ପରିବା । ଆକାଶ ଛୁଆଁ ପରିବା ଦର । ଖାଉଟିଙ୍କ ପକେଟକୁ ମାଡ଼ । ମୁଣ୍ଡରେ ହାତ ଦେଇ ବସିଛନ୍ତି ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ପରିବାର । ବଜାରକୁ ଗଲେ ଦ୍ୱନ୍ଦ୍ବରେ ପଡ଼ୁଛି ଖାଉଟି । କେଉଁ ପରିବା ନେବ କେଉଁଟା ନୁହେଁ । କାରଣ କାଲି ଯିଏ ୨୦ ଥିଲା ଆଜି ସେ ୫୦ ପାର୍ । ସୁତରାଂ ପରିବା କହୁଛି ମତେ ହାତ ମାରନା । କିଛି ଦିନ ପୂର୍ବେ ଟମାଟୋ ଦର କିଲୋ ପିଛା ୪୦ ଥିବା ବେଳେ ବର୍ତ୍ତମାନ ୧୨୦ ଟପିଲାଣି । ରାଜ୍ୟରେ ଟମାଟୋର ଦର ବୃଦ୍ଧି ହେବା ପରେ ଅନ୍ୟ ପରିବା ଗୁଡ଼ିକର ଦର ମଧ୍ୟ ବୃଦ୍ଧି ପାଇଛି । ବାଇଗଣ କିଲୋ ପିଛା ୮୦,  ପୋଟଳ୭୦-୮୦, କଲରା ୧୦୦, ବିନ୍‌ସ ୧୮୦, ଭେଣ୍ଡି୬୦, ଜହ୍ନି ୭୦ ହୋଇଛି । ଏଣେ ବ୍ୟବସାୟୀମାନେ ବି କରିବେ କଣ । ଦର ବୃଦ୍ଧି ଯୋଗୁଁ ଲୋକେ ପରିବା ହାଟରୁ ମୁହଁ ଫେରାଇନେଉଛନ୍ତି । ଆଉ ଖଟି ଖିଆ ମଜୁରିଆଙ୍କ ଦୁଃଖ ତ କହିଲେ ନସରେ । ସେମାନଙ୍କ ପରିବା ବ୍ୟାଗରେ ଖାଲି ଆଳୁ ଓ ପିଆଜ । କମ୍ ଟଙ୍କାରେ ପରିବାରର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପକ୍ଷେ କଷ୍ଟସାଧ୍ୟ । ଏତେ ଟଙ୍କାରେ ପରିବା କିଣିନେଲେ ଘର ଖର୍ଚ୍ଚ ତୁଲାଇବେ କେମିତି । ମୌସୁମୀ ଓ ଲଘୁଚାପ ବର୍ଷା ପ୍ରଭାବରେ ଗଛରେ ବାଇଗଣ, ପୋଟଳ, ଭେଣ୍ଡି ଆଦି ପରିବା ନଷ୍ଟ ହୋଇଛି । ଗଛରୁ ଫୁଲ, ଫଳ ମଧ୍ୟ ଝଡ଼ି ପଡ଼ିଛି । ଯାହାଫଳରେ ଦର ବୃଦ୍ଧି ପାଉଛି । ସେପଟେ କିନ୍ତୁ ବେପାରୀ ମାଲାମାଲ, ଚାଷୀ ହତାଶ। ଦରଦାମ ବୃଦ୍ଧିର ପ୍ରକୃତ ଲାଭ ପାଉନି ଚାଷୀ । ଚାଷ ଜମି ନିକଟରୁ କମ୍ ଦରରେ ବେପାରୀ କିଣି ଆଣି ବଜାରରେ ଚଢ଼ା ଦରରେ ବିକୁଛି । ସେପଟେ ଗ୍ରାହକ କେବଳ ରେଟ୍ ପଚାରି ଚାଲିଯାଉଛନ୍ତି । ବଜାରରେ ପରିବା ଦର ନିୟନ୍ତ୍ରିତ ଥିବା ସମୟରେ ଖାଉଟିମାନଙ୍କର ବ୍ୟାଗ୍ ଫୁଲ୍ ହୋଇଯାଉଥିଲା ବର୍ତ୍ତମାନ ବ୍ୟଗ୍ ଅଧା ବି ହେଉନି । ଏହା ପୂର୍ବରୁ ଘରେ ୩-୪ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା ବେଳେ ବର୍ତ୍ତମାନ ୨ ପ୍ରକାର ବ୍ୟଞ୍ଜନରେ କାମ ଚଳେଇବାକୁ ପଡ଼ୁଛି । ସରକାର ତୁରନ୍ତ ଦର ନିୟନ୍ତ୍ରଣକୁ ନଆଣିଲେ ଜନ ଅସନ୍ତୋଷ ଆହୁରି ବୃଦ୍ଧି ପାଇବ । ବେଲଗାମ୍ ପରିବା ଦର ଉପରେ ରୋକ୍ ନ ଲାଗିଲେ ଅବସ୍ଥା ଯେ କେତେ ଜଟିଳ ହୋଇଯିବ ତାହା କହିବା ମୁସକିଲ ।