ରାଜଧାନୀକୁ ଫେରିଲା ହଟସ୍ପଟ୍

ଏଥର କରୋନା ନୁହେଁ ଡେଙ୍ଗୁ ଡର

ଓଡିଶାକୁ ଫେରିଛି ହଟସ୍ପଟ୍ । କିନ୍ତୁ ଏଥର କରୋନା ନୁହେଁ ଡେଙ୍ଗୁ । ରାଜଧାନୀରେ ଡରାଉଛି ଡେଙ୍ଗୁ । ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ୬ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ୧୦୩ ଛୁଇଁଛି ମୋଟ ସଂଖ୍ୟା । ଗତ ୩ ସପ୍ତାହ ମଧ୍ୟରେ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି । ପୂର୍ବରୁ ନୂଆପଲ୍ଲୀ, ସାଲିଆସାହି ଅଂଚଳ ହଟସ୍ପଟ୍ ଭାବରେ ଚିହ୍ନିତ ହୋଇଥିବା ବେଳେ ଏବେ ଏହି ତାଲିକାରେ ପୁରୁଣା ଭୁବନେଶ୍ୱର ଯୋଡ଼ି ହୋଇଛି । ପୂର୍ବରୁ ସୁନ୍ଦରପଦାରେ ନୂଆ କରି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ପୁରୁଣା ଭୁବନେଶ୍ୱରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ମଧ୍ୟ ଦୁଇ ଦିନରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ କୋରାପୁଟ ମିଶନ କମ୍ପାଉଣ୍ଡ ଅଞ୍ଚଳର ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଜାନୁଆରି ମାସରୁ ଏବେ ସୁଦ୍ଧା ଜିଲ୍ଲାରେ ମୋଟ ୮ଜଣଙ୍କ ରକ୍ତ ନମୁନା ପଜିଟିଭ୍ ବାହାରିଛି ।