ଯୋଡା ଶ୍ରାବଣରେ ଭକ୍ତ ପାଳିବେ ୪ ସୋମବାର

ଦୁଇଟି ଶ୍ରାବଣ, କିନ୍ତୁ ଭକ୍ତ ଢାଳିବେ ୪ଥର ପାଣି। ଚଳିତ ବର୍ଷ ଦୁଇଟି ଶ୍ରାବଣ ଅର୍ଥାତ୍ ଯୋଡ଼ା ଶ୍ରାବଣ ରହିଛି। କିନ୍ତୁ ମହାଦେବଙ୍କଠାରେ ବୋଲବମ୍‌ ଭକ୍ତମାନେ ୮ ନୁହେଁ ୪ ସୋମବାରରେ ହିଁ ଜଳଲାଗି କରିବେ। ପ୍ରଥମ ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୦ ଓ ଦ୍ବିତୀୟ ସୋମବାର ଜୁଲାଇ ୧୭ରେ କାଉଡ଼ିଆମାନେ ଜଳ ଲାଗି କରିବେ। ଏହାପରଠୁ ମଳ ମାସ ଆରମ୍ଭ ‌ହେଉଥିବାରୁ ଆଉ ଜଳାଭିଷେକ ବିଧି ନାହିଁ। ତେଣୁ ଦ୍ବିତୀୟ ଶ୍ରାବଣର ଶେଷ ଦୁଇ ସୋମବାର ଅଗଷ୍ଟ ୨୧ ଓ ୨୮ତାରିଖରେ ପୁଣି ଜଳାଭିଷେକ ହେବ। ପୂର୍ବ ବର୍ଷଗୁଡ଼ିକରେ କରୋନା କଟକଣା ପାଇଁ କାଉଡ଼ିଆ ସଂଖ୍ୟା କମ ଥିଲା। ମାତ୍ର ଚଳିତ ବର୍ଷ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପାଣି ଲାଗି କରିବେ। ପୂର୍ବ ରେକର୍ଡ ଅନୁସାରେ ଶ୍ରାବଣ ସୋମବାର ପାଳିରେ ୨୦ ହଜାରରୁ ୫୦ ହଜାର ମଧ୍ୟ‌ରେ ବୋଲବମ୍ ଭକ୍ତ ଆସିଥାନ୍ତି। ଏଥିପାଇଁ ଶୈବପୀଠମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।କିପରି କାଉଡ଼ିଆମାନେ ସହଜରେ ପ୍ରଭୁଙ୍କ ଦର୍ଶନ କରିବା ଶ ଜଳଲାଗି କରିବେ ତାକୁ ମଧ୍ୟ ଧ୍ୟାନ ଦିଆଯାଇଛି।

ତେବେ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ବ୍ୟାପକ ପ୍ରସ୍ତୁତି। ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ମେଘେଶ୍ବର, ବ୍ରହ୍ମେଶ୍ବର, ଭାସ୍କରେଶ୍ବର, ନାଗେଶ୍ବର, ରାମେଶ୍ବର, ଗୋସାଗରେଶ୍ବର, କୁକ୍କୁଟେଶ୍ବର, କପିଳେଶ୍ବର, ସୂକ୍ଷ୍ମେଶ୍ବର, ମୁକ୍ତେଶ୍ବର, ପର୍ଶୁରାମେଶ୍ବର, ଡାକରା ବିଭୀଷଣେଶ୍ବର, ଖରାଖିଆ ବୈଦ୍ୟନାଥ, ତୀର୍ଥେଶ୍ବର, ଭବାନୀଶଙ୍କର, ଚିନ୍ତାମଣିଶ୍ବର ଓ ଜମେଶ୍ବର ମନ୍ଦିରରେ ବୋଲବମ୍‌ ଶ୍ରଦ୍ଧାଳୁମାନେ ହଜାର ହଜାର ସଂଖ୍ୟାରେ ଆସି ଜଳ ଢାଳନ୍ତି। ପୂର୍ବରୁ ବର୍ଷା ହେଲେ ମନ୍ଦିର ନିକଟସ୍ଥ ଦୋକାନ ବଜାର, ଭଜନ ମଣ୍ଡପ, ମାର୍କେଟ୍‌ କୋଠା ତଳେ କାଉଡ଼ିଆମାନେ ଆଶ୍ରୟ ନେଉଥିଲେ। କିନ୍ତୁ ଏବେ ସେପରି ସୁବିଧା ନାହିଁ। ଟ୍ରାଫିକ୍‍ ନିୟନ୍ତ୍ରଣ ଓ କାଉଡ଼ିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ ଏବଂ ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ବାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରିବେ ବୋଲି ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର କହିଛନ୍ତି।