ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ ): ମା’କୁ ଦିନେ କଥା ଦେଇଥିଲେ କାଳିଆ ସାଆନ୍ତ , ଯେମିତି ହେଲେ ବି ବରଷକେ ଥରେ ଜନ୍ମବେଦୀକୁ ଆସିବେ । ସେଇ କଥା ରକ୍ଷା କରି ପ୍ରତ୍ଯେକ ବର୍ଷ ରଥରେ ଚଢି ଭାଇଭଉଣୀଙ୍କୁ ସାଥିରେ ଧରି ମାଉସୀ ମା ଘରକୁ ଆସନ୍ତି ମହାପ୍ରଭୁ । ପ୍ରତିବଦଳରେ ମା କହିଥିଲା-
“ଯେତେ ଦେଉଥିବି ସେତେ ଖାଉଥିବୁ ନଶୁଖିବ ତୋର ହାତ,
ଜଗତ କହିବ ଖାଇବା ଠାକୁର ନୀଳାଚଳେ ଜଗନ୍ନାଥ”
ତେବେ ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ି ଆସିବେ ମହାପ୍ରଭୁ। ଆଉ ଫେରିବା ବାଟରେ ବଡ଼ଦାଣ୍ତ ସ୍ଥିତ ମାଉସୀ ମା ମନ୍ଦିର ସାମ୍ନାରେ ଅଟକିବ ରଥ। କାରଣ ବରଷକ ଯାକ ଚାହିଁଥିବା ମାଉସୀ ମା ଆଜି ଭାରି ଶ୍ରଦ୍ଧାରେ ତିଆରି କରିଛି ପୋଡପିଠା। ତେବେ ଏହି ପୋଡ଼ପିଠା ବ୍ରହ୍ମାଣ୍ତକର୍ତ୍ତାଙ୍କୁ ଖୁଆଇ ମାଉସୀ ମା ମେଲାଣୀ ଦେବେ। ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଅର୍ଦ୍ଧଶୋଷିନୀ ବା ଅର୍ଦ୍ଧାଶିନୀ ମାଉସୀ ମା ଶ୍ରୀକ୍ଷେତ୍ରକୁ ସୁରକ୍ଷା ଯୋଗାଇ ଆସୁଛନ୍ତି।
ଜନସୃତି, ବିଶ୍ୱାସ ଅନୁଯାୟୀ ବଡ଼ଦାଣ୍ତର ମଧ୍ୟଭାଗରେ ଥିବା ଶ୍ରଜଗନ୍ନାଥଙ୍କ ମାଉସୀ ହେଉଛନ୍ତି ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷିନୀ। ପ୍ରଳୟ ଜଳକୁ ଶୋଷଣ କରୁଥିବାରୁ ତାଙ୍କର ଏପରି ନାଁ। ପ୍ରାକୃତିକ ଦୁର୍ବିପାକରୁ ସେ ଶ୍ରକ୍ଷେତ୍ରକୁ ସୁରକ୍ଷା ଦେଇଥାନ୍ତି। ପରମ୍ପରା ଅନୁଯାୟୀ ବାହୁଡ଼ା ଦିନ ରଥ ଶ୍ରୀମନ୍ଦିର ଅଭିମୁଖେ ଫେରୁଥିବା ସମୟରେ ମାଉସୀମା ପ୍ରସ୍ତୁତ କରିଥିବା ପୋଡପିଠା ପୁତୁରା, ଝିଆରୀଙ୍କୁ ଆଦର ଓ ଶ୍ରଦ୍ଧାରେ ଖୁଆଇବେ। ଏହା କାହିଁ କେଉଁ କାଳର ପରମ୍ପରା ବୋଲି ମାଉସୀ ମାଙ୍କ ସେବାୟତ କହିଛନ୍ତି। ତେଣୁ ମାଉସୀ ମା ଙ୍କ ନିର୍ଦ୍ଦେଶରେ ଏହି ସେବକମାନେ ବେଶ୍ ନିଷ୍ଠାର ସହ ପୋଡ଼ପିଠା ପ୍ରସ୍ତୁତ କରିଥାନ୍ତି।
ବିଧି ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ଦିନ ପାରମ୍ପରିକ ବିଧିରେ ଚୁଲି ନିର୍ମାଣ କରାଯାଇ ପୋଡ଼ପିଠା ପ୍ରସ୍ତୁତ କରାଯାଏ। ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ, ପିସ୍ତା ବାଦାମ ଏବଂ ଘିଅର ଏକ ମିଶ୍ରଣ ପ୍ରସ୍ତୁତ ହୁଏ। ଇଟାରେ ଚୁଲି ପ୍ରସ୍ତୁତ କରି ଚୁଲିରେ ପାଣିହାଣ୍ତି ବସାଇ ଏହାକୁ ଗରମ କରାଯାଏ। ହାଣ୍ତି ଉପରେ ଏକ ଜାଲି ପଡ଼ିଥାଏ। ଜାଲିରେ ଏକ ପାତ୍ର ପକାଯାଇ ଅଟା ମିଶ୍ରଣକୁ ରଖାଯାଏ। ଗରମ ପାଣିରୁ ନିର୍ଗତ ବାଷ୍ପରେ ୭ ରୁ ୮ ଘଣ୍ଟା ଏହି ମିଶ୍ରଣ ସିଝିଥାଏ। ଏହା ସଂପୁର୍ଣ୍ଣ ମିଶି ପାଗ ହୋଇଯିବା ପରେ ତାହାକୁ ଓହ୍ଲାଇ ଥଣ୍ତା କରାଯାଏ। ପରେ ସାଇଜ୍ କରି କଟାଯାଇ ଶୁଦ୍ଧ ଘିଅରେ ଛଣାଯାଏ। ୩ ଟି କୁଡୁଆରେ ରଖି ଏହାକୁ ମହାପ୍ରଭୁଙ୍କ ରଥ ନିକଟରେ ଭୋଗ କରାଯାଏ। ବର୍ଷକରେ ଗୋଟିଏ ଥର ଏହି ଭୋଗ ହେଉଥିବାରୁ ଏହାର ବ୍ୟବସାୟୀ କରଣ ଅର୍ଥାତ୍ ପୋଡ଼ପିଠା ବିକ୍ରୀ କରାଯାଏ ନାହିଁ।
ବାହୁଡ଼ା ଯାତ୍ରାରେ ଫେରିବା ବେଳେ ତିନି ରଥ ମାଉସୀମା ମନ୍ଦିର ନିକଟରେ ଅଟକିଯାଏ। ପ୍ରତି ରଥ ପାଖରେ କୁଡୁଆରେ ପୋଡ଼ପିଠା ଲାଗି ହୋଇଥାଏ। ଏହା ପରେ ଭୋଗ ହୋଇଥିବା ଏହି ପିଠାକୁ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ। ତେବେ ଭକ୍ତମାନେ ମହାପ୍ରଭୁଙ୍କ ଏହି ଅତିପ୍ରିୟ ପୋଡ଼ପିଠା ପାଇ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଥାନ୍ତି। ସତରେ ମହାପ୍ରଭୁଙ୍କ ଏ ଲୀଳା ବଡ ବିଚିତ୍ର।