ମହଙ୍ଗା ପଡ଼ିଲା ଲୁଚାଛପା ପ୍ରେମ, ଗାଁରେ ବସିଲା କଙ୍ଗାରୁ କୋର୍ଟ

ମୟୂରଭଞ୍ଜ (ଯଯାତି ଏକ୍ସପ୍ରେସ ବ୍ୟୁରୋ): ରାଇଆଁ ଗାଁରେ ବସିଛି କଙ୍ଗାରୁ କୋର୍ଟ, ଜଣେ ମହିଳା ଓ ଜଣେ ପୁରୁଷକୁ ବାନ୍ଧି ଦିଆଯାଉଛି ନିସ୍ତୁକ ମାଡ଼। ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ବି ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରାଇଆଁ ଗାଁରେ। ଯେଉଁଠି ବସିଛି କଙ୍ଗାରୁ କୋର୍ଟ। ଜଣେ ମହିଳା ଏବଂ ଜଣେ ପୁରୁଷ ଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ଏବଂ ତିନି ଦିନ ଧରି ଉଭୟ ମହିଳା ଓ ପୁରୁଷ ଙ୍କୁ ବାନ୍ଧି ରଖିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।

ସୂଚନା ଅନୁଯାୟୀ ବାଙ୍ଗିରିପୋଷି ଥାନା ଭୁଆସୁଣୀ ପଞ୍ଚାୟତର ରାଇଆଁ ଗାଁର ଜଣେ ବିବାହିତା ମହିଳା ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତ।ନୂଆଗାଁର ଆଉ ଜଣେ ବିବାହିତ ପୁରୁଷ ମଧ୍ୟରେ ଚାଲିଥିଲା ଅବୈଧ ପ୍ରେମ ସମ୍ପର୍କ। ପ୍ରେମର ନିଶାରେ ସବୁ ଭୁଲି ଯାଇଥିଲେ ଉଭୟ। ଆଉ ଅସଂଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଗ୍ରାମବାସୀ। ବୁଧୁବାର ଉଭୟଙ୍କୁ ଗ୍ରାମବାସୀ ଏକାଠି ଦେଖିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା । ଲୋକଙ୍କ ସନ୍ଦେହ ଘେରରେ ଆସିଥିବା ଯୋଗୁଁ ଲୋକେ ଦୁହିଁଙ୍କୁ ଗାଳି ଗୁଲଜ ସହ ବାନ୍ଧି ଦେଇଥିଲେ। ପରେ ଦୁହିଁଙ୍କୁ ସର୍ବ ସମ୍ମୁଖରେ ନିସ୍ତୁକ ମାଡ଼ ମାରିଥିଲେ। ବୁଧୁବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସେମାନଙ୍କୁ ଗାଁ ରେ ଅଟକ ରଖିଥିବା ଜଣାପଡିଛି।

ତେବେ ଗ୍ରାମବାସୀ ଉଭୟ ଙ୍କୁ ଘଟଣା ସ୍ଥଳରେ ବିଚାର କରିବାକୁ ଜିଦ୍ ଧରିଥିବା ବେଳେ ପୋଲିସକୁ ମଧ୍ୟ ସୁଚନା ଦିଆଯାଇ ନଥିବା ଜଣାପଡିଛି। ଖବର ପାଇ ପୋଲିସ ଉଭୟ ମହିଳା ଏବଂ ପୁରୁଷଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିବା ଜଣାପଡିଛି। ତେବେ ଏଭଳି ଏକ ଅଭାବନୀୟ ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।