(ଯଯାତି ଏକ୍ସପ୍ରେସ ବ୍ଯୁରୋ): ମହାପ୍ରଭୁଙ୍କ ବେଶ ଯେମିତି ନିଆରା, ଭୋଗ ମଧ୍ୟ ଠିକ୍ ସେମିତି ନିଆରା। ତେବେ ମହାବାହୁଙ୍କ ସମସ୍ତ ଭୋଗ ମଧ୍ୟରେ ଏକ ସ୍ବତନ୍ତ୍ର ଭୋଗ ହେଉଛି କୋଠ ଭୋଗ। ତେବେ କଣ ଏହି କୋଠ ଭୋଗ, କେତେବେଳେ ଏହାକୁ ମହାପ୍ରଭୁଙ୍କୁ ଲାଗି କରାଯାଏ। ତାହା ପ୍ରାୟ ସମସ୍ତେ ଜାଣି ନଥିବେ।
ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପ ଆଦି ଯେଉଁ ଭୋଗର ସମସ୍ତ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରେ ସେହି ଭୋଗକୁ କୋଠ ଭୋଗ କୁହନ୍ତି। ଏହି ଭୋଗକୁ ମହାପ୍ରସାଦ ଆକାରରେ ଗଜପତି ମହାରାଜ ଓ ସଂପୃକ୍ତ ସେବକ ପାଇଥାନ୍ତି। ଅବଶିଷ୍ଟ ଭୋଗ ଆନନ୍ଦ ବଜାରର କୋଠ ଭୋଗ ପସରାରେ ବିକ୍ରି ହୋଇଥାଏ।
ତେବେ କଣ କଣ ରହିଥାଏ ଏହି ଭୋଗରେ…
• ଗୋପାଳ ବଲ୍ଲଭ: ଗୋପାଳବଲ୍ଲଭ ରେ ପ୍ରଥମେ ସକାଳେ ଦହି, ଲହୁଣୀ, ଖୁଆମଣ୍ଡା, ନଡିଆକୋରା, କଦଳୀ, ନଡ଼ିଆ ମହାବାହୁ ଙ୍କୁ ଉତ୍ସର୍ଗ କରାଯାଏ।
• ସକାଳ ଧୂପ: ସକାଳ ଧୂପ ବା ରାଜଭୋଗ ରେ ଖେଚୁଡ଼ି, ବରି ପ୍ରସ୍ତୁତ ବଡକାନ୍ତି, ସାନ କାନ୍ତି, ଏଣ୍ଡୁରି, ପାଟପୁଳି, ହଂସକେଳି , କକତୁଆ, ଜିଲି, ଶାଗ, ପିଠା, ପୁଳି, ବୁନ୍ଦିଆ, ଖିରୀ ଆଦି ଭୋଗ ହୋଇଥାଏ।
• ମଧ୍ୟାହ୍ନ ଧୂପ: ମଧ୍ୟାହ୍ନ ଧୂପ ରେ ଅନ୍ନ, କାନିକା, ସାକର, କଦମ୍ବା, ଆରିସା, ଧଉଳା, ନାଡି, ବଡି, ତ୍ରିପୁରୀ, କାକରା, ମନୋହର, ପିଠା, ମରିଚି, ଲଡୁ, ସରପଣା, ଖିରିସା, ଦୁଧ ଓ ଗଜା ଆଦି ମହାବାହୁ ଙ୍କୁ ଲାଗି ହୋଇଥାଏ।
• ସନ୍ଧ୍ୟା ଧୂପ: ସନ୍ଧ୍ୟା ଧୂପରେ ଅନ୍ନ, ଖେଚେଡ଼ି, ମିଷ୍ଟାନ୍ନ, କଁଅଳ ପୂଳି, ଟାକୁଆ, ମାଠ ପୁଳି, ଭୋଗଗୁଆ, ଗୋଟଳି, କାକରା, ଖୁରୁମା, ଅମାଲୁ, ଚଡ଼େଉ ନେଦା, କଦମ୍ବା ସହିତ ସୁବାସିତ ପଖାଳ ଭୋଗ ଲାଗିଥାଏ ମହାବାହୁ ଙ୍କ ପାଖରେ।
• ବଡ଼ ସିଂହାର ଭୋଗ: ବଡ଼ ସିଂହାର ଭୋଗରେ ପିଠା, ଖିରି, ବଡା, କାଞ୍ଚି, କଦଳୀ, ସାକେରା, ଚଡ଼େଇ ଓ ନେଦା ଆଦି ଭୋଗ କରାଯାଏ।
ଶ୍ରୀମନ୍ଦିରରେ ଏହି ସବୁ ଭୋଗର ଅନେକ ମାହାତ୍ମ୍ୟ ରହିଛି। ଗୋପାଳ ବଲ୍ଲଭ ଓ ବଡ଼ ସିଂହାର ଭୋଗ ପଞ୍ଚ ଉପଚାରରେ ପୂଜା ହେଉଥିବା ବେଳେ ଅନ୍ୟ ତିନି ଧୂପ ଷୋଡ଼ଶ ଉପଚାରରେ ପୂଜା କରାଯାଏ। ଆଉ ବିଶେଷ କରି ଗୋପାଳ ବଲ୍ଲଭ କେବଳ ଗୁଣ୍ଡିଚା ମନ୍ଦିରରେ ସମର୍ପଣ କରାଯାଇଥାଏ।