ଭାଙ୍ଗି ଯାଇଛି କାଳିଆର ରତ୍ନ ପଲଙ୍କ !

ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଭଙ୍ଗା ପଲଙ୍ଗରେ ଶୋଉଛନ୍ତି ପ୍ରତି ଓଡିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପୁରୁଣା ହୋଇଗଲାଣି ମହାପ୍ରଭୁଙ୍କ ଗଜଦନ୍ତ ପଲଙ୍କ । ପଲଙ୍କର ଗୋଡ ସହ ଅନ୍ୟାନ୍ୟ ସ୍ଥାନ ସବୁ ଭାଙ୍ଗି ଦୋହଲୁଛି । ପଲଙ୍କରେ ଲାଗିଥିବା ରୂପା ବି ଛାଡିଗଲେଣି । ଦୈନିକ ଭଙ୍ଗା ପଲଙ୍କରେ ମହାପ୍ରଭୁ ଶୋଉଛନ୍ତି। ଆଉ ଏହି ଭଙ୍ଗା ପଲଙ୍କରେ ସବୁ ନୀତିକାନ୍ତି ହେଉଛି। ସେପଟେ ଯେଉଁ ଶେଯ ପଡ଼ିଛି, ତାହା ବି ପୁରୁଣା ହୋଇଗଲାଣି ବୋଲି ଅଭିଯୋଗ ଉଠିଥିଲା।

ନିକଟ ଅତୀତରେ ଶ୍ରୀମନ୍ଦିରର ବିଭିନ୍ନ ଦ୍ବାର ରୁପା ଚାଦରରେ ଆଚ୍ଛାଦିତ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଏହି ଭଙ୍ଗା ଗଜଦନ୍ତ ପଲଙ୍କର ମରାମତି ସହ ନୂଆ ଶେଯ, ତକିଆ ଆଦି ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତମାନେ ଦାବି କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ମରାମତି ହେବ। ଏଥିସହ ସିଂହଦ୍ୱାର ରୁପା ଛାଉଣୀ କରାଯିବ। କିଛିଦିନ ତଳେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି। ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ଦାତାମାନେ ରୁପା ଦାନ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏହାପରେ ଭକ୍ତଙ୍କ ମନରେ ଖେଳିଯାଇଛି ଖୁସିର ଲହରୀ ।