ବିଜେବି ଓ ମହର୍ଷି କଲେଜରେ ମାରପିଟ୍

ବିଚ୍ ରାସ୍ତାରେ ଛାତ୍ରଙ୍କୁ ଗୋଡାଇ ଗୋଡାଇ ହାଣିଲେ

ରାଜଧାନୀରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି । ଭିନ୍ନ ଭିନ୍ନ କାରଣକୁ କେନ୍ଦ୍ର କରି ଦୁଇ ପ୍ରମୁଖ କଲେଜ ବିଜେବି ଓ ମହର୍ଷିରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ଓ ହଣାକଟା । ମହର୍ଷି କଲେଜର ଜଣେ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରକୁ ବିପକ୍ଷ ଗୋଷ୍ଠୀର ଜଣେ ଯୁବକ ଓ ତା’ ସହଯୋଗୀମାନେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଦୁର୍ବୃତ୍ତମାନଙ୍କ ଆତଙ୍କ ଏଭଳି ଥିଲା ଯେ ଦିନ ଦି’ପହରେ ଶହଶହ ଲୋକଙ୍କ ଆଖି ଆଗରେ ଏ ଘଟଣା ଘଟିଥିଲେ ହେଁ ସେମାନଙ୍କୁ ବାଧା ଦେବାକୁ କେହି ସାହସ ଜୁଟାଇ ପାରିନଥିଲେ। ଅଟକାଇବା ତ ଦୂରର କଥା, ସାଧାରଣ ଲୋକ ବି ଜୀବନ ବିକଳରେ ଧାଇଁ ପଳାଇଥିଲେ। ସେହିପରି ବିଜେବି କଲେଜରେ କିଛି ଦିନ ତଳେ ଜଣେ ନେତାଙ୍କ ଜନ୍ମଦିନକୁ ପାଳନ କରାଯିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଆଜି ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ କ୍ୟାମ୍ପସ୍‌ରେ ମାର୍‌ପିଟ୍‌ ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କଲେଜ ଭିତରେ ସମାଧାନ ହୋଇ ନପାରିବାରୁ କଥା ଥାନାକୁ ଯାଇଛି। ଏହି ଘଟଣାଦ୍ବୟ ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷେ, କଲେଜ କ୍ୟାମ୍ପସ୍‌ରେ ଏଭଳି ଛାତ୍ର ଅଶାନ୍ତି ଦିନକୁ ଦିନ ବୃଦ୍ଧି ପାଇବା ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି।