ବାପ ଛେଉଣ୍ଡ କରିଦେଲା କରମଣ୍ଡଳ

ଯଯାତି ଏକ୍ସପ୍ରେସ (ବ୍ଯୁରୋ ): ମୋ ଧନ ମୋତେ କେତେ ବୁଦ୍ଧି ଦେଉଥିଲା…କହୁଥିଲା ମା ମୁଁ ବିଦେଶ ଯାଇ ଟଙ୍କା ପଠେଇବି ତୁ ଘର ଚଳାଇବୁ , ତୋ ନାତୁଣୀକୁ ଟିକେ ବୁଲେଇ ଆଣୁଥିବୁ…. ହେଲେ ସେ ଆଜି ଆଉ ମୋ ସହ କଥା ହେଉନି। ଏମିତି କିଛି ବାହୁନି ବାହୁନି ଗୋଟେ ପୁଅକୁ ତା ମା ଖୋଜୁଛି , ହେଲେ ତା ଡ଼ାକ ଶୁଣିବାକୁ ତା ପୁଅ ଆଉ ଏ ଦୁନିଆରେ ନାହିଁ। କାହିଁକି ନା ସେଦିନର ସେ ଲୌହଦାନବଟା କରିଥିବା ରକ୍ତ ଭୋଜିରେ ତା ପୁଅକୁ ବଳିଚଢ଼ାଇଚି।

ହଁ ଆଜ୍ଞା ଆମେ କହୁଚୁ ବାଲେଶ୍ଵର ବହାନଗାରେ ଘଟିଥିବା ରେଳ ଦୁର୍ଘଟଣା କଥା। ଯେଉଁଥିରେ ଚାଲିଯାଇଛି ଅନେକ ନିରୀହ ଜୀବନ। ଏହାରି ଭିତରେ ଚାଲିଯାଇଛି ଗୋଟେ ପରିବାର ଚଳାଉଥିବା ଭେଣ୍ଡିଆ ପୁଅର ଜୀବନ। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ଝିଙ୍କପଦା ପଂଚାୟତ ସୌଭାଗ୍ୟଦେଇପୁର ଗାଁରେ। ଲୌହ ଦାନବର କରାଳ ଗ୍ରାସରେ ଯାଇଛି ଏହି ଗାଁର ରଜନ୍ତୀକାନ୍ତ ବେହେରାଙ୍କ ଜୀବନ ।

ଦେଢ଼ ବର୍ଷ ତଳେ ବିବାହ କରିଥିଲେ ରଜନୀକାନ୍ତ। ନିଜ ତିନି ମାସର ପୁଅ ଏବଂ ପରିବାର ଲୋକଙ୍କୁ ଭଲରେ ରଖିବା ପାଇଁ ରୋଜଗାର ନିମନ୍ତେ ବାହାରି ପଡିଥିଲେ ଗନ୍ତବ୍ୟସ୍ଥଳକୁ । ହେଲେ କିଏ ଜାଣିଥିଲା ବାଟରେ ଜଗି ବସିଥିଲା ମୃତ୍ୟୁର ଦାନବ । ବାହାନଗା ଟ୍ରେନ୍ ଟ୍ରାଜେଡିରେ ଜୀବନ ହରାଇଲା ଘରର ଭେଣ୍ଡିଆ ପୁଅ ।

ମୃତଦେହ ଘରେ ପହଂଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଘର ଏବଂ ଗ୍ରାମ । ଅନେକ ସ୍ୱପ୍ନକୁ ସାଇତି ରଖି ରୋଜଗାର କରିବାକୁ ଯାଉଥିବା ଭେଣ୍ଡିଆ ପୁଅର ଏଭଳି ମୃତ୍ୟୁ ପରିବାର ଉପରେ ପକାଇଛି ବଜ୍ର। ସ୍ୱାମୀକୁ ନେଇ ଦେଖିଥିବା ସ୍ତ୍ରୀର ସବୁ ସ୍ବପ୍ନ ଭାଙ୍ଗି ଚୁରମର ହେଇଗଲା। ବାପ ଛେଉଣ୍ଡ ହେଇଗଲା ୩ମାସର ନିଷ୍ପାପ ଶିଶୁ । ବାପା ଡାକିବା ପୂର୍ବରୁ ବାପାକୁ ଛଡ଼ାଇ ନେଇଛି ରକ୍ତ ପିପାସୁ ଲୌହ ଦାନବ। ସତରେ ଏଦୁଃଖ ବଡ଼ ଦାରୁଣ।