ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା

ସମଗ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଲୋକମାନେ ଆତୁର ହୋଇ ମୌସୁମୀର ଆଗମନକୁ ଚାହିଁ ବସିଛନ୍ତି । କିନ୍ତୁ ମୌସୁମୀର ଆଗମନ ବିଳମ୍ବିତ ହୋଇଚାଲିଛି । ତେବେ ଖୁବଶୀଘ୍ର ରାଜ୍ୟରେ ବର୍ଷା ଆରମ୍ଭ ହେବାକୁ ଯାଉଛି । କାରଣ ବଙ୍ଗୋପସାଗରରେ ଏକ ଲଘୁଚାପର ସମ୍ଭାବନା ଦେଖାଦେଇଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଜୁନ୍ ୨୩ ରେ ସେହି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପରଦିନ ଅର୍ଥାତ୍ ୨୪ ଜୁନରେ ଏହା ଏକ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତର ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ମୌସୁମୀକୁ ଓଡ଼ିଶାକୁ ଟାଣିଆଣିବ ବୋଲି ସ୍କାଏମେଟ କହିଛି । ଏହି ଲଘୁଚାପ ଓଡ଼ିଶା ଦେଇ ମଧ୍ୟଭାରତକୁ ଗତି କରି ଛତିଶଗଡ଼ ଓ ମଧ୍ୟପ୍ରଦେଶକୁ ଅତିକ୍ରମ କରିବ ଓ ଧୀରେ ଧୀରେ ଦୁର୍ବଳ ହୋଇ ରାଜସ୍ଥାନ ଓ ଗୁଜରାଟରେ ପହଞ୍ଚିବ ଓ ମଧ୍ୟମ ଧରଣର ବର୍ଷା କରିବ ।