ଫସିଛନ୍ତି 3 ହଜାରରୁ ଅଧିକ ପର୍ଯ୍ୟଟକ

ଉତ୍ତର ସିକ୍କିମ ଜିଲ୍ଲାରେ ଆକସ୍ମିକ ବନ୍ୟା ଯୋଗୁଁ ପାଙ୍ଗୋଙ୍ଗସ୍ଥିତ ୧୦ ନମ୍ବର ଜାତୀୟ ରାଜପଥ ଜଳମଗ୍ନ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି । ପ୍ରବଳ ବର୍ଷା ହେବା ଫଳରେ ନିକଟସ୍ଥ ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଜାତୀୟ ରାଜପଥ ଅବରୋଧ ହୋଇଛି । ଉତ୍ତର ସିକ୍କିମର ଲାଚେନ୍ ଓ ଲାଚୁଙ୍ଗ ଭଳି ଅଞ୍ଚଳ ବନ୍ୟା ଯୋଗୁଁ ରାଜ୍ୟର ବାକି ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଇଛି । ଏହା ଫଳରେ ପ୍ରାୟ ୩ ହଜାର ପର୍ଯ୍ୟଟକ ଫସି ରହିଛନ୍ତି । ବନ୍ୟା ଯୋଗୁଁ ରାଜପଥ ସହ ଏହାର ଭିତ୍ତିଭୂମି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଏହା ଯାନବାହନ ଚଳାଚଳ ପାଇଁ ଅସୁରକ୍ଷିତ ହୋଇପଡ଼ିଛି । ସ୍ଥିତିକୁ ସ୍ବାଭାବିକ କରିବାକୁ ଭାରତୀୟ ସେନା ଓ ବିଆରଓ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ ଟ୍ରାଫିକ୍ ପାଇଁ ରାଜପଥ ଖୋଲିବାକୁ କିଛି ସମୟ ଲାଗିପାରେ। ଭୂସ୍ଖଳନ ଯୋଗୁଁ ଜେଏନ୍ ରୋଡ୍, ରେଲଖୋଲା, ୧୩ ମାଇଲ୍ ଓ ଥୁଲୋ ଖୋଲା ସମେତ ଗାଙ୍ଗଟକ-ନାଥୁଲା ରାସ୍ତା ଅବରୋଧ ହୋଇଛି । ସୋମଗୋ ହ୍ରଦ, ବାବା ମନ୍ଦିର, ନାଥୁଲା ଏବଂ ଉତ୍ତର ସିକ୍କିମକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଅନୁମତି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି ।