ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ UPMP ପୋର୍ଟାଲ୍
ପେନସନ୍ ପାଇଁ ଆଉ ବାରମ୍ବାର ଅଫିସ୍ ଦୌଡ଼ିବାକୁ ପଡ଼ିବନି । ଗୋଟିଏ ପୋର୍ଟାଲ୍ ରେ ଆବେଦନଠାରୁ ଟଙ୍କା ପ୍ରଦାନ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା । ମଧୁବାବୁ ପେନସନ୍ ଯୋଜନାରେ ବଡ଼ ପଦକ୍ଷେପ। ଯୋଜନାରେ ଯୋଡ଼ିହେବେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପୋର୍ଟାଲର ଶୁଭାରମ୍ଭ କରିବେ । ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ଓଡ଼ିଶା ସରକାର । ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ୫ ହଜାର ୮୧୭ ଯୋଗ୍ୟ ହିତାଧିକାରୀ । ଦୀର୍ଘଦିନ ଧରି ପେନସନ୍ ଅପେକ୍ଷାରେ ଥିବା ଏହି ଆବେଦନକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ସରକାର ସାଚୁରେସନ୍ ମୋଡ୍ ରେ ଅଭିଯାନ ଆରମ୍ଭ କରିବେ । ଏଥିସହ ପେନସନ୍ ପରିଚାଳନାକୁ ସରଳ, ସ୍ୱଚ୍ଛ ଓ ତ୍ୱରିତ କରିବା ପାଇଁ ଆରମ୍ଭ ହେବ ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ ବା UPMP ।ବାଲେଶ୍ୱର ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପୋର୍ଟାଲ୍ ର ଶୁଭାରମ୍ଭ କରିବେ ।
ନୂଆ UPMP ପୋର୍ଟାଲ୍ କୁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଅଧୀନରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ବା OCAC ପ୍ରସ୍ତୁତ କରିଛି । ଏହି ପୋର୍ଟାଲ୍ ରେ ମଧୁବାବୁ ପେନସନ୍ ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ବା NSAP ଏବଂ ଅନ୍ୟାନ୍ୟ ପେନସନ୍ ଯୋଜନାକୁ ଗୋଟିଏ ଡିଜିଟାଲ୍ ବ୍ୟବସ୍ଥାରେ ସଂଯୋଗ କରାଯିବ । ଆବେଦନ, ଯୋଗ୍ୟତା ଯାଞ୍ଚ, ଅନୁମୋଦନ, ପେନସନ୍ ପ୍ରଦାନ ଓ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଗୋଟିଏ ପ୍ଲାଟଫର୍ମରେ ସମ୍ପନ୍ନ ହୋଇପାରିବ । ହିତାଧିକାରୀମାନେ **upmp.odisha.gov.in** ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଆବେଦନ କରିପାରିବେ ।
