ନୂଆରୂପ ପାଇବ ବ୍ରହ୍ମପୁରର ବୁଢୀଠାକୁରାଣୀ ମନ୍ଦିର

ନୂଆରୂପ ପାଇବ ବ୍ରହ୍ମପୁରର ବୁଢୀଠାକୁରାଣୀ ମନ୍ଦିର । 5T ଜରିଆରେ ନୂଆ ରୂପ ପାଇବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର । ଏନେଇ ୧୮କୋଟି ୯୧ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନାକୁ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବ୍ରହ୍ମପୁର ବାସିନ୍ଦା ।

ତେବେ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଗତକାଲି ଅନୁମୋଦନ କରିବା ପରେ ସାରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହାପରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାୟୁପଟ୍ଟନାୟକଙ୍କ ନେତୃତ୍ବରେ ସମସ୍ତ ଭକ୍ତ ଏବଂ ସେବାୟତଙ୍କୁ ସାଙ୍ଗରେ ନେଇ ମା’ ବୁଢୀ ଠାକୁରାଣୀଙ୍କ ନିକଟକୁ ଯାଇଥିଲେ ।

ଏଥିରେ ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଉପ ମେୟର ବିବେକ ରେଡ୍ଡୀ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ସମସ୍ତ କର୍ପୋରେଟର ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ମନ୍ଦିରର ବିକାଶ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ଦେଖିବାକୁ ମିଳିଛି।