ଜାଣନ୍ତୁ ପଣା ଭୋଗର ମହତ୍ତ୍ବ

ଶ୍ରୀମନ୍ଦିରର ରାଜଭୋଗ ଏବଂ ଛପନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ମହାପ୍ରଭୁଙ୍କ ଦୈନଦିନ ନୀତି ସମେତ କେତେକ ବିଶେଷ ପର୍ବାଣି ଦିନମାନଙ୍କରେ ମଧ୍ୟ ହୋଇଥାଏ। ଏହାର ଅନ୍ୟ ଏକ ନାମ ହେଲା ‘ପ୍ରପାଣକ’। ଏହି ନାମ ଅପଭ୍ରଂଶରେ ପ୍ରପାନକ ବା ପଣା ନାମରେ ପରିଚିତ ଅଟେ। ମାଦଳାପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଅତୀତରେ ଶ୍ରୀମନ୍ଦିରରେ ପଣା ପ୍ରସ୍ତୁତ କରୁଥିବା ସେବକଙ୍କୁ ‘ପଣା ସୁଆର ସେବକ’ ନାମରେ ଅଭିହିତ କରାଯାଉଥିଲା। ସାଧାରଣତଃ ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ତାହା ହେଲା ଦୈନଦିନ ପଣା, ଅଣସର ପଣା ଓ ଅଧରପଣା। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ। ସେହିପରି ମହାପ୍ରଭୁମାନେ ରତ୍ନ ସିଂହାସନ, ଅଣସର ପିଣ୍ଡି, ଆଡପ ମଣ୍ଡପ, ସ୍ନାନ ମଣ୍ଡପ ଓ ପହଣ୍ଡି ବିଜେ ସମୟରେ ବିରାଜମାନ କରୁଥିବା ବେଳେ ପଣା ଭୋଗ ହେବାର ବିଧି ରହିଛି।