କିପରି ହୋଇଥାଏ ମହାପ୍ରଭୁଙ୍କ ସକାଳ ଧୂପନୀତି ?

Jajati Express

ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ ): ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଯେମିତି ଅଲୌକିକ, ନୀତି ମଧ୍ୟ ଠିକ୍ ସେପରି ନିଆରା। ମହାବାହୁଙ୍କ ଏକ ନୀତି ହେଉଛି ସକାଳ ଧୂପ। ଧୂପ ଶବ୍ଦର ଅର୍ଥ ସୁଗନ୍ଧି ଆସ୍ୱାଦାନ କରିବା। ଅର୍ଥାତ୍ ନୈବେଦ୍ୟ ପୂର୍ବରୁ ଅଗ୍ନିରେ ଦଶାଙ୍ଗ ଧୂପ ପୂର୍ଣ୍ଣ କରି ତାର ସୁଗନ୍ଧକୁ ଦେବତାଙ୍କର ଆମୋଦ ନିମନ୍ତେ ସମର୍ପଣ କରିବା। ପୂଜାପଣ୍ଡା ରତ୍ନବେଦୀ ରେ ମହାବାହୁ ଙ୍କୁ ଏହି ଦଶାଙ୍ଗା ଧୂପ ସମର୍ପଣ କରିଥାନ୍ତି। ସକାଳ ଧୂପ ପାଇଁ ପାଣିଆପଟ ସେବକ ବିମଳା ମନ୍ଦିର ସମ୍ମୁଖ କୂଅରୁ ପାଣି ଯୋଗାଇଥାନ୍ତି ଏବଂ ଶ୍ରୀମନ୍ଦିର ତରଫରୁ ସକାଳ ଧୂପ କୋଠ ଭୋଗ ପାଇଁ ସବୁ ଦ୍ରବ୍ୟକୁ ଭିତର ବେଢ଼ାର ଲକ୍ଷ୍ମୀ ମନ୍ଦିର ପଛ ପାଖେ ଥିବା କୋଠ ଭୋଗ ଗୋଦାମରୁ ଯୋଗାଇ ଦିଆଯାଏ।ସର୍ବପରେ ସୁଆର ବଡୁ ସେବାୟତ ଥାଳି ଧୋଇ ଚତୁ୍ଦ୍ଧାମୂର୍ତ୍ତିଙ୍କ ଆଗରେ ରଖନ୍ତି।

ଏହା ପରେ ପୂଜାପଣ୍ଡା ରତ୍ନ ସିଂହାସନକୁ ନମସ୍କାର କରି ଉପରକୁ ଉଠନ୍ତି। ପୂଜା ପଣ୍ଡା ମାନେ ଶ୍ରୀଜୀଉଙ୍କ ଆଗରେ ପଡ଼ିଥିବା ଥାଳି ବାହାରେ ମୁରୁଜ ବୁଲାଇ ପନ୍ତି କାଟନ୍ତି। ଲକ୍ଷ୍ମୀ ଙ୍କ ପାଖରେ ମଧ୍ୟ ଏକ ଛୋଟ ପନ୍ତି କଟାଯାଏ। ଏହାପରେ ଆସନ ଶୁଦ୍ଧି ହୋଇଥାଏ। ଏବଂ ପରେ ପ୍ରତ୍ୟେକ ଦିନର ବିଧି ଅନୁଯାୟୀ ଉପଚାର ପୂଜା ହୋଇଥାଏ। ଏହାପରେ ପ୍ରତିହାରୀ ସେବକ ଭିତର କାଠରେ ଟେରାବାଡ ଦେଦେଇଥାନ୍ତି। ରସଦ୍ରବ୍ୟ ପାକ ହୋଇଥାଏ। ପ୍ରତିହାରୀ ବେତ ଧରି କୋଠଭୋଗ ରୋଷକୁ ଯାଇ ମହାସୁଆର, ତୋଳା ବଡୁଙ୍କୁ ମଣୋହି ପ୍ରସ୍ତୁତ କରିବାକୁ କହିଥାନ୍ତି।ଏହା ପରେ ରୋଷଘରୁ ପ୍ରଥମ ଛେକ ଆସିଥାଏ।ଏହି ସମୟରେ ପ୍ରତିହାରୀ ଦ୍ଵାର ରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ପଛେ ପଛେ ପନ୍ତି ବଡୁ ସେବକ ସକାଳ ଧୂପ ଖେଚେଡ଼ି ଧରି ଗମ୍ଭୀର ଭିତରକୁ ପ୍ରବେଶ କରନ୍ତି। ଏହା ପରେ ମହାବାହୁ ଙ୍କୁ ମଣୋହି କରାଯାଏ।

ମଣୋହି ସରିବା ପରେ ନାଏକଙ୍କୁ ଡକାଯାଇଥାଏ।ଏହାପରେ ପ୍ରତିହାରୀ ଦୁଆର ଫିଟାନ୍ତି। ଏହାକୁ ଟେରା ଫିଟିଲା ବୋଲି ମଧ୍ୟ କୁହାଯାଏ। ମହାପ୍ରଭୁଙ୍କୁ ବିଡ଼ିଆ ପାନ ଲାଗି କରାଯାଏ। ଏବଂ ପରେ ୨୧ ବତୀ ଆଳତୀ କରାଯାଏ। ପୂଜାରେ ଲାଗିଥିବା ଫୁଲ ତୁଳସୀ ଅଣ୍ଟିରେ ଧରି ପୂଜାପଣ୍ଡା ସିଂହାସନ ତଳକୁ ଆସିଥାନ୍ତି।