ଏଯାଏ ଖୋଲୁନି ଦୁର୍ଘଟଣାର ରହସ୍ୟ

ବିତିଲାଣି ମାସେ ଶବ ଖୋଜୁଛି ପରିଚୟ

ସେଦିନର ସେ କାଳରାତ୍ରୀକୁ ପୂରିଲା ମାସେ । ଆଖି ପିଛୁଳାକେ ଲୌହ ଦାନବ ରଚିଥିଲା ମୃତ୍ୟୁର ତାଣ୍ଡବ । ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୂରିଛି । କିନ୍ତୁ ଏଯାଏଁ ଚିହ୍ନଟ ହୋଇପାରିନି ପ୍ରାୟ 80ରୁ ଅଧିକ ମୃତଦେହ । କିଏ ଏଯାଏଁ ନିଜ ପରିଜନଙ୍କ ମୃତଦେହ ପାଇନି ତ ଆଉ କିଏ ଅପେକ୍ଷା କରିଛି ଡିଏନଏ ରିପୋର୍ଟକୁ । ଆଉ ଏହି ସରକାରୀ ପ୍ରକ୍ରିୟା ଭିତରେ କିନ୍ତୁ ପଚିବା ଆରମ୍ଭ କରିଲେଣି ମୃତଦେହ ।  ଡି.ଏନ୍.ଏ ରିପୋର୍ଟ ଆସିବାକୁ ବିଳମ୍ବ ହେଉଥିବା କାରଣରୁ ସମସ୍ତ ମୃତଦେହକୁ ଏପର୍ଯନ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ପାରିନାହିଁ । ସେପଟେ ୮୧ଟି ମୃତଦେହ କଂଟେନରରେ ରଖାଯାଇଥିବା ବେଳେ ଆଜି ସୁଦ୍ଧା ୧୯ଟି ମୃତଦେହକୁ ଡିଏନଏ ସାମ୍ପୁଲ ମ୍ୟାଚ୍ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ତିନୋଟି କଂଟେନରରେ ଥିବା ମୃତଦେହ ଗୁଡିକୁ କଂଟେନରରୁ ବାହାରକୁ ବାହାର କରାଯାଇଛି । ପାଖାପାଖି ଏକ ମାସ ଧରି ଏହି ମୃତ ଦେହ ଗୁଡିକ କଂଟେନରରେ ରହିଥିବାରୁ ନଷ୍ଟହେବାକୁ ଆରମ୍ଭ କରିଛି । ଏହି କଂଟେନରଗୁଡିକରେ ମାଇନସ ୧୮ ଡିଗ୍ରୀ ତାପମାତ୍ରାରେ ଶବଗୁଡିକୁ ସଂରକ୍ଷିତ କରି ରଖାଯାଇଛି । ଏବେ ମୃତଦେହଗୁଡିକୁ ପୁରୁଣା କଂଟେନରରୁ ବାହାର କରି ନୁତନ କଂଟେନରକୁ ସ୍ଥାନାନ୍ତର କରାଯାଇଛି । ଏବେ ବି ଏମ୍ସରେ ପାଖାପାଖି ୬୨ଟି ମୃତଦେହ କଂଟେନର ଗୁଡିକରେ ରଖାଯାଇଛି । ସେପଟେ ଝାଡ଼ଖଣ୍ଡ ଓ ବିହାରର ଦୁଇ ଜଣ ବ୍ୟକ୍ତିଙ୍କ ମୃତଦେହ ଭୁବନେଶ୍ବରର ସତ୍ୟନଗରସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଝାଡଖଣ୍ଡର ମୃତକ ହେଲେ 31 ବର୍ଷୀୟ ଦିନେଶ ଯାଦବ । ସେହିଭଳି ବିହାରର ମୃତକ ହେଲେ 23 ବର୍ଷୀୟ ସୁରେଶ ରାୟ। ଉଭୟ ପରିବାର ଏତେ ଦୂରକୁ ମୃତଦେହ ନେବାକୁ ଆଗ୍ରହୀ ନହେବାରୁ ସତ୍ୟନଗରରେ ଅନ୍ତିମ ସଂସ୍କାର ପାଇଁ ନିଷ୍ପତ୍ତି ନେଇଥିଲେ।  ଭୁବନେଶ୍ୱର ମହାନଗର ନିଗମ ପୁରା ପ୍ରକ୍ରିୟାକୁ ସମ୍ପାଦନ କରୁଛି । ସମୟ ଆଗରେ ବନ୍ଧା ସମସ୍ତେ । ଦୁର୍ଘଟଣାକୁ ମାସେ ବିତିଯାଇଥିଲେ ବି ସେକାଳରାତ୍ରି କଥା ମନେପଡିଲେ ଶିହରୀ ଉଠେ ଶରୀର । ଆଉ ମୃତ୍ୟୁକୁ ବେଶ ପାଖରେ ଦେଖି ବଞ୍ଚିଯାଇଥିବା ଲୋକେ ଭଗବାନଙ୍କୁ ମାରୁଛନ୍ତି କୋଟି ମୁଣ୍ଡିଆ । ହେଲେ ସରକାରଙ୍କ କ୍ଷତିପୂରଣ ପାଇବା ପରେ ଜୀବନ ହରାଇଥିବା ପୁଅ, ବାପା, ଭାଇ, ସ୍ବାମୀଙ୍କ ସ୍ଥାନ ଆଉ ପୂରଣ ହେବନି । ଏହା ଭାବି ପରିବାର ଲୋକେ ଏବେ ବି ଗୁମୁରି ଗୁମୁରି କାନ୍ଦୁଛନ୍ତି । କ୍ରୁର ବିଧାତାର ଏହି ନିଷ୍ଠୁର ରଚନାକୁ ସେମାନେ ମାନିନେଇଛନ୍ତି ସତ, କିନ୍ତୁ ବଞ୍ଚିଥିବା ଯାଏଁ ଭୁଲିପାରିବେନି ।