୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ
ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍ ପକ୍ଷରୁ ସଙ୍କେତ ମିଳିଥିବାବେଳେ ଲଘୁଚାପର ତୀବ୍ରତା ଓ ଗତିପଥ ସ୍ପଷ୍ଟ କରାଯାଇ ନାହିଁ। ତେବେ ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରଫ୍ଲାଇନ୍ ରହିଛି, ଯାହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି। ୧୧ରେ ଟ୍ରଫ୍ଲାଇନ୍ ଦୁର୍ବଳ ହେବା ପରେ ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି। ବର୍ତ୍ତମାନ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବା ସହ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଫଳରେ ସାରା ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଥିବାବେଳେ କିଛି ଜିଲାରେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି।
