ଆଜିଠୁ ସଜେଇ ହେବେ ଶ୍ରୀଜୀଉ, ୧୯ରେ ନବଯୌବନ ଦର୍ଶନ

ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଆଜିଠାରୁ ଶ୍ରୀମୁଖ ଶୃଙ୍ଗାର ହେବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସବୁଠୁ ବଡ଼ ବନକଲାଗି ନୀତି ଆରମ୍ଭ ହେବ । ଶନିବାର ଓ ରବିବାର ଦୁଇଦିନ ଧରି ଏହି ବନକଲାଗି ନୀତି ଅତି ନୁଷ୍ଠିତ ହେବ । ଏଥିପାଇଁ ସ୍ଵତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି । ଏହା ପୂର୍ବରୁ ଗତକାଲି ମହାପ୍ରଭୁଙ୍କ ଘଣାଲାଗି ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତ ମହାପାତ୍ରଙ୍କ ଘରୁ ଖଡ଼ି ଅଣସର ଘରେ ପହଞ୍ଚିବା ପରେ ଖଡ଼ି ଲାଗି ନୀତି ଆରମ୍ଭ ହୋଇଥିଲା ।

ଖଡ଼ି ଲାଗି ପରେ ଦତ୍ତ ମହାପାତ୍ରଙ୍କ ସହ ଦଇତାପତି, ପତି ମହାପାତ୍ର ସେବକ ଆଜି ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରିବେ । ଆଜିଠୁ ଦୁଇ ଦିନ ଯାଏ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତଷ୍ଠି ହେବ । ଗତକାଲି ଘଣାଲାଗି ନୀତି ସମ୍ପନ୍ନ ହୋଇଥିଲା । ଦତ୍ତ ପ୍ରବେଶ ନୀତି ସହ ଆଜି ବନକଲାଗି ଆରମ୍ଭ ହେବ । ଶ୍ରୀମୁଖ ଶୃଙ୍ଗାର କରାଯିବ । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ପ୍ରଥମ ପର୍ଯ୍ୟାୟରେ ଦତ୍ତ ମହାପାତ୍ର ଗତକାଲି ଖଲି ଲେପ ଦେଇଥିଲେ । ଶ୍ରୀମୁଖ ଶୃଙ୍ଗାର ସେବାର ପ୍ରଥମ ପ୍ରଲେପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଖଡି ପ୍ରସାଦକୁ ସେବକମାନେ ଶ୍ରୀନଅରରେ ଗଜପତି ମହାରାଜାଙ୍କୁ ଅର୍ପଣ କରିବେ ।

ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ , କେଶର, ହରତାଳ, ହିଂଗୁଳ ଆଦି ସାମଗ୍ରୀର ମିଶ୍ରଣକୁ ଲାଗି କରାଯିବ । ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯିବ । ଶନିବାର ଓ ରବିବାର, ଦୁଇଦିନ ଧରି ବନକଲାଗି ନୀତି ଚାଲିବା ପରେ ଜୁନ ୧୯ ତାରିଖରେ ଶ୍ରୀବିଗ୍ରହ ମାନେ ନବଯୌବନ ପ୍ରାପ୍ତି ହେବା ସହ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ । ଠିକ ଏହା ପରଦିନ ନାବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି । ଯାହା ସାରା ବିଶ୍ଵର ସବୁଠୁ ବଡ ଯାତ୍ରା ଘୋଷଯାତ୍ରା ବା ରଥଯାତ୍ରା ନାମରେ ପରିଚିତ।