ଆକାଶଙ୍କ ମିଶନ୍‍ ସବୁଜକୋରେଇ ଅଭିଯାନ

ଆକାଶଙ୍କର ମିଶନ୍‍ ସବୁଜକୋରେଇ ଅଭିଯାନ । କୋରେଇର ପୂର୍ବତନ ବିଧାୟକ, ମୋ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ନେତୃତ୍ୱରେ ମିଶନ୍‍ ସବୁଜକୋରେଇ ଅଭିଯାନ ଆନୁଷ୍ଠାନିକ ଭାବେ ଆଜି ଉଦ୍‍ଘାଟନ ହୋଇଛି । ଏହି ଅଭିଯାନର ପ୍ରଥମ ଦିବସରେ କୋରେଇ ନିର୍ବାଚନ ମଣ୍ଡଳୀ ପାଟରଙ୍ଗା ପଞ୍ଚାୟତର ଉପରଗଡ ସ୍କୁଲ ପ୍ରାଙ୍ଗଣ ଓ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପାଖାପାଖି ୫୦୦ ବୃକ୍ଷରୋପଣ କରାଯାଇଥିବା ବେଳେ ୪ ହଜାର ଗଛ ବଣ୍ଟନ କରାଯାଇଥିଲା । ଏଥିସହିତ ପାଟରଙ୍ଗା, ଉପରଗଡ, ଅରଣ୍ୟମଦନା, ଅଶୋକଝର, ମଣ୍ଡପଡା, ଗୋହିରାଗଡିଆରେ ପ୍ରତ୍ୟେକ ଘରେ ଗୋଟିଏଗୋଟିଏ ବୃକ୍ଷ ପ୍ରଦାନ କରାଯାଇଛି ।

ଏହି ମହତ ଅଭିଯାନରେ ପାଖାପାଖି ୧ହଜାରରୁ ଉର୍ଦ୍ଧ ଗ୍ରାମବାସୀ, ଯୁବକଯୁବତୀ, ସ୍ୱୟଂସହାୟିକା ମହିଳା ଗୋଷ୍ଠୀ ଏବଂ ସ୍ଥାନୀୟ ଜନସାଧାରଣମାନେ ଯୋଗଦେଇଥିଲେ । ଆକାଶ ଦାସଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମୟର ଆହ୍ୱାନ ହେଉଛି – ପରିବେଶକୁ ବଞ୍ଚାଇବା । ଏବଂ ଏଥିଲାଗି ସବୁଠାରୁ ବଡ ଉପାଦାନ ହେଉଛି ବୃକ୍ଷରୋପଣ । ତାପମାତ୍ରାକୁ ନିୟନ୍ତ୍ରଣ କରିବାପାଇଁ ବୃକ୍ଷର ଏକ ପ୍ରମୂଖ ଭୂମିକା ରହିଛି । ଜଣେ ସୁସ୍ଥ ମଣିଷ ପାଇଁ ୧ବର୍ଷରେ ପାଖାପାଖି ୭ କିଲୋ ଅକ୍ସିଜେନ୍‍ ଦରକାର ଏବଂ ଏହି ଅକ୍ସିଜେନ୍‍ ପାଇଁ ପାଖାପାଖି ୧୦ଟି ଗଛର ଆବଶ୍ୟକତା ଥାଏ । ଆମର ଉତ୍ତରପିଢୀଙ୍କ ପାଇଁ ଏକ ସୁସ୍ଥ ପରିବେଶ ଗଠନ କରିବା ଦିଗରେ ବୃକ୍ଷରୋପଣ କରିବା ଏବଂ ବୃକ୍ଷକୁ ବଞ୍ଚାଇରଖିବା ଆମ ସମସ୍ତଙ୍କର ଦାୟିତ୍ୱ ।

ତେଣୁ ଏହି ମିଶନ ସବୁଜ କୋରେଇ ମାଧ୍ୟମରେ ଆଗାମୀ ୫ବର୍ଷ ମଧ୍ୟରେ ପାଖାପାଖି ୩୦ଲକ୍ଷ ଗଛ ଲଗାଇବା ପାଇଁ ଶ୍ରୀଯୁକ୍ତ ଆକାଶ ଦାସନାୟକ ଲକ୍ଷ୍ୟ ରଖିଛନ୍ତି ବୋଲି ସେ ମତ ରଖିଛନ୍ତି । ତେବେ ଆକାଶଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅନେକ ସ୍ଥାନୀୟ ବରିଷ୍ଠ ବ୍ୟକ୍ତିବଶେଷଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।