ଛୋଟ ଛୁଆଙ୍କର ପାଚୁଛି ଚୁଟି

ଜାଣନ୍ତୁ ଛୁଆଙ୍କର କାହିଁକି ପାଚୁଛି ଚୁଟି ?

କେବଳ ବୟସ୍କ ଲୋକ ନୁହେଁ, ଏବେ ଛୋଟ ପିଲାଙ୍କର ଚୁଟି ମଧ୍ୟ ପାଚୁଥିବା ଦେଖିବାକୁ ମିଳୁଛି। କମ୍‌ ବୟସରେ ପାଚିଲା ଚୁଟି ଦେଖିବାକୁ ଅଜବ ଲାଗେ। ଏହା ପିଲାଙ୍କ ଲୁକ୍‌କୁ ମଧ୍ୟ ବିଗାଡ଼ିଦିଏ। କମ୍‌ ବୟସରେ ଚୁଟି ପାଚିବା ପଛରେ ଅନେକ କାରଣ ରହିଛି। ଯଥା: ଅସନ୍ତୁଳିତ ହରମୋନ୍‌, ଖାଦ୍ୟପେୟରେ ଅନିୟମିତତା, ଜୀବନଶୈଳୀରେ ପରିବର୍ତ୍ତନ ଇତ୍ୟାଦି। ଏହା ବ୍ୟତୀତ କେତେକ ଅନ୍ୟ କାରଣ ମଧ୍ୟ ରହିଛି, ଯାହା ଚୁଟି ପାଚିବା ପାଇଁ ଦାୟୀ। ଆସନ୍ତୁ ଜାଣିବା ଆଉ କେଉଁ କେଉଁ କାରଣ ଯୋଗୁ ଚୁଟି ପାଚେ…

ଅବସାଦ:
ଅବସାଦରେ ରହିବା ମଧ୍ୟ ଚୁଟି ପାଚିବାର ଏକ ପ୍ରମୁଖ କାରଣ। ଏହି ଅବସାଦ ମନୋବୈଜ୍ଞାନିକ ଅବସାଦ ନୁହେଁ, ବରଂ ଜିନୋଟକ୍ସିକ୍‌ ଅବସାଦ। ଏହା ଆମ ଆଖପାଖରେ ଘଟୁଥିବା ଘଟଣା ଯୋଗୁ ହୋଇଥାଏ।

ଧୂମପାନ:
ଯଦି ଆପଣ ଧୂମପାନ କରୁଛନ୍ତି, ତେବେ ପିଲାଙ୍କ ଠାରୁ ଦୂରରେ କରନ୍ତୁ। ଡାକ୍ତରଙ୍କ କହିବାନୁସାରେ, ଯଦି କୌଣସି ପିଲା ବାରମ୍ବାର ସିଗାରେଟ୍‌ କିମ୍ବା ବିଡି ଧୂଆଁ ସଂସ୍ପର୍ଶରେ ଆସୁଥାଏ, ତେବେ ତା’ ଚୁଟି ପାଚିବା ସମ୍ଭାବନା ରହିଛି। ଏହା ଶରୀରରେ ମେଲାନିନ୍‌ର ଉତ୍ପାଦନକୁ କମ୍‌ କରିଦିଏ, ଫଳରେ ପିଲାଙ୍କ ଚୁଟି ପାଚେ।

ଏନିମିଆ:
ଆଇରନ୍‌ ଅଭାବରୁ ଏନିମିଆ ଭଳି ସମସ୍ୟା ଦେଖାଦିଏ। ଏହାର ପରିଣାମ ସ୍ୱରୂପ ପିଲା ଥକାପଣ ଅନୁଭବ କରିବା ସହ ତା’ଚୁଟି ମଧ୍ୟ ଧଳା ହୋଇଯାଏ। ଏଭଳି ସମସ୍ୟା ଥିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଆସନ୍ତୁ ଜାଣିବା କ’ଣ ଖାଇଲେ କମ ବୟସରେ ଚୁଟି ପାଚିବା ସମସ୍ୟା ଦୂର ହେବ।

ସବୁଜ ପନିପରିବା: ବ୍ୟସ୍ତ ଜୀବନରେ ଖାଦ୍ୟରେ ଅନିୟମିତତା ଦେଖିବାକୁ ମିଳିଥାଏ। ସବୁଜ ପନିପରିବାରେ ଭିଟାମିନ-ବି ୬, ଭିଟାମିନ-ବି ୧୨, ଅନ୍ୟ ପୋଷକ ତତ୍ତ୍ୱ ଭରପୁର ମାତ୍ରା ଥାଏ। ଖାଦ୍ୟ ମେନୁରେ ସବୁଜ ପନିପରିବାକୁ ସାମିଲ କଲେ ଧଳା ଚୁଟିରୁ ମୁକ୍ତି ପାଇପାରିବେ।

ମାଛ: ଓମେଗା ୩ ଫ୍ୟାଟି ଏସିଡରେ ଭରପୁର ଥିବା ମାଛ କେଶର ବିକାଶ ଓ ସ୍ୱାସ୍ଥ ପାଇଁ ଭଲ ହୋଇଥାଏ। ସାମୁଦ୍ରିକ ମାଛ ସାଲମନ୍‌ରେ ସେଲୋନିୟମ୍ ଭଳି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ଥାଏ। ଯାହା ଚୁଟିକୁ ଧଳା ହେବାରୁ ରକ୍ଷା କରିଥାଏ। ଅତ୍ୟନ୍ତପକ୍ଷେ ସପ୍ତାହକୁ ଥରେ ନିଜ ଡାଏଟରେ ମାଛକୁ ସାମିଲ କରନ୍ତୁ।

ଅଖରୋଟ ଓ ବାଦାମ: ଅଖରୋଟ ଓ ବାଦାମରେ ଭିଟାମିନ-ଇ ଓ କପର ପରିମାଣରେ ଥାଏ। ଯାହା କେଶ ପାଇଁ ଲାଭଦାୟକ। ୪ଟି ବାଦାମକୁ ରାତିରେ ଭିଜେଇ ପ୍ରତିଦିନ ସକାଳେ ଖାଇଲେ ଧଳା ଚୁଟି ସମସ୍ୟାରୁ ମୁକ୍ତ ମିଳିଥାଏ। ବାଦାମ ତେଲକୁ କେଶରେ ମାଲିସ କଲେ କେଶ ଧଳା ପଡିବା ଓ ଝଡିବା ବନ୍ଦ ହୋଇଯାଇଥାଏ।

ଅଁଳା: ଅଁଳା ଚୁଟି ପାଇଁ ରାମବାଣ ସଦୃଶ। ଚୁଟି ଧଳା ହେବା, ଝଡିବା, ଶୁଷ୍କ ହେବା ପରି ସମସ୍ୟା ଭୋଗୁଥିଲେ ପ୍ରତିଦିନ ସକାଳେ ଅଁଳା ଖାଆନ୍ତୁ। ଏହା ଚୁଟି ପାଇଁ ଟନିକ ଭଳି କାମ କରିଥାଏ ଓ ସୁସ୍ଥ ରଖିଥାଏ।