ଏମିତି ସ୍ଥାନ ଯେଉଁଠି ହୁଏନି ଖରା

ଭାରତରେ ଅଛି ଏମିତି ସ୍ଥାନ, ଯେଉଁଠି ପଡେନି ଖରାର ପ୍ରଭାବ

ଏବର୍ଷ ହେଉଛି ପ୍ରଚଣ୍ଡ ଖରା । ଗ୍ରୀଷ୍ମର ଉତ୍ତାପ ଏଡ଼େ ପ୍ରଚଣ୍ଡ ଯେ, ଘରେ ବାହାରେ ସମାନ ପରିସ୍ଥିତି । ଗ୍ରୀଷ୍ମ ପ୍ରକୋପରୁ ତ୍ରାହି ପାଇବାକୁ ମଣିଷ, ଜୀବଜନ୍ତୁ ସମସ୍ତେ ଡହଳ ବିକଳ । ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ଉପରେ । ହେଲେ ଆପଣ ଜାଣିଛନ୍ତି କି ଆମ ଭାରତରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଗ୍ରୀଷ୍ମ ପ୍ରଭାବଶୂନ୍ୟ । ତାତି ମଧ୍ୟ ବାଧେ ନାହିଁ । ପ୍ରଚଣ୍ଡ ଖରାରେ ବି ସେଠାରେ ବହୁଛି ଶୀତଳ ସମୀରଣ, ପର୍ବତ ଶିଖର ସବୁକୁ ଆବୋରି ପକାଉଛି ନାଳି କୁହୁଡ଼ି ଆଉ ଝରିପଡୁଛି ନିର୍ମଳ ଜଳପ୍ରପାତ । ଆଜି ଜାଣିବା ଭାରତର ଏମିତି ସ୍ଥାନ ବିଷୟରେ ।
ଲେହ୍-ଲଦାଖ
ସ୍ନିଗ୍ଧ ଶୀତଳ ପାହାଡ଼ୀ ହାୱା ଓ କମନୀୟ ପ୍ରାକୃତିକ ଶୋଭାରାଜିକୁ ଭଲ ପାଉଥିବା ବ୍ୟକ୍ତିଙ୍କ ପାଇଁ ହିମାଳୟ ପର୍ବତମାଳାର ପାଦଦେଶରେ ଥିବା ଲେହ ଲଦାଖଠାରୁ ସୁଖପ୍ରଦ ସ୍ଥାନ ଯେମିତି ଆଉ କେଉଁଠି ନାହିଁ । ଏଠାକାର ନିର୍ମଳ ହ୍ରଦ, ତୁଷାର ଆଚ୍ଛାଦିତ ଗିରିଶୃଙ୍ଗ, ଶାନ୍ତ-ନିଶ୍ଚଳ ମଠବାଡ଼ି ଥିବା ଏହି ଅଞ୍ଚଳ ରୌଦ୍ର ତାପରୁ ମୁକ୍ତି ଦେଇଥାଏ ।
ସିମଲା
ସିମଲାକୁ ଶୈଳନିବାସ ରାଣୀ ମଧ୍ୟ କୁହାଯାଏ । କାହିଁ କେତେ କାଳରୁ ଲୋକପ୍ରିୟ ଗ୍ରୀଷ୍ମାବକାଶ ସ୍ଥଳୀ ଭାବେ ସୁନାମ ଅର୍ଜନ କରିଛି । ଏଠାକାର ମନୋରମ ଜଳବାୟୁ, ସବୁଜିମା ଓ ଚିତ୍ତାକର୍ଷକ ଉପନିବେଶୀୟ ସ୍ଥାପତ୍ୟ ପୁରା ମନକୁ ଆକର୍ଷଣ କରିନିଏ ।
ମୁନ୍ନାର
କେରଳର ପଶ୍ଚିମଘାଟ ପର୍ବତଶ୍ରେଣୀ ଆଢୁଆଳରେ ଥିବା ମୁନ୍ନାର ପ୍ରଶସ୍ତ ଚା ବାଗାନ୍, କୁହେଳିକା ଘେରା ପାହାଡ ଓ ଝରି ଆସୁଥିବା ଜଳପ୍ରପାତ ଭରା ଶ୍ୟାମଳ ସ୍ୱର୍ଗ । ବର୍ଷ ତମାମ ମନୋରମ ଜଳବାୟୁ ଥିବା ଏହି ଶୈଳନିବାସ ସତେ ଅବା ଗ୍ରୀଷ୍ମ ପ୍ରକୋପରୁ ସୁରକ୍ଷା ଦିଏ । ଶାନ୍ତ ପ୍ରାକୃତିକ ସୁଷମା ମଧ୍ୟରେ ରହି ମନ ହାଲକା କରିପାରିବେ ।
ଦାର୍ଜିଲିଂ
ସମୁଦ୍ର ପତ୍ତନଠାରୁ ୬୦୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ ଦାର୍ଜିଲିଂ ହେଉଛି ଶୀତଳ, ସ୍ନିଗ୍ଧ ପାହାଡ଼ିଆ ପବନ ଓ ନିସର୍ଗ ହିମାଳୟ ସୌନ୍ଦର୍ୟ୍ୟ ଦର୍ଶନର ପରିଭାଷା। ବିଶ୍ୱବିଖ୍ୟାତ ଚା ବଗିଚା, ପ୍ରକୃତି କୋଳରେ ଟ୍ରେନ୍‌ଯାତ୍ରା, କାଞ୍ଚନଜଙ୍ଘା ପର୍ବତମାଳା ଉପରେ ଆକର୍ଷଣୀୟ ସୂର୍ୟ୍ୟୋଦୟ ଲାଗି ପ୍ରସିଦ୍ଧ ଏହି ଶୈଳନିବାସରେ ଆଦିମ ସୌନ୍ଦର୍ୟ୍ୟ ଓ ଶାନ୍ତି ବିଦ୍ୟମାନ ରହିଛି । ପର୍ୟ୍ୟଟକମାନେ ଏଠାରେ ସବୁଜ ଚା ବାଗାନ୍‌ରେ ବୁଲିପାରିବେ, ଦାର୍ଜିଲିଂ ହିମାଲୟାନ୍ ରେଳରେ ଯାତ୍ରା କରିପାରିବେ କିମ୍ବା ଦୂର ହିମାଳୟ ପର୍ବତଚୂଡ଼ା ଦେଖିବା ଲାଗି ପାଖରେ ବାଗ ଥିବା ପାହାଡ଼ ଚଢ଼ିପାରିବେ ।

କୂର୍ଗ- କର୍ଣ୍ଣାଟକ
ଭାରତର ସ୍କଟଲ୍ୟାଣ୍ଡ ନାମରେ ପରିଚିତ ସବୁଜ ଆଶ୍ରୟସ୍ଥଳ କୂର୍ଗ ମଧ୍ୟ ଶ୍ୟାମଳ ପଶ୍ଚିମଘାଟ ପର୍ବତମାଳାରେ ଅବସ୍ଥିତ । କୁହେଳିକାମୟ ପାହାଡ, ପ୍ରଖର ଜଳପ୍ରପାତ ଓ ସୁବାସିତ କଫି ବାଗାନ ଥିବା ଏହି କମନୀୟ ସ୍ଥାନ ବି ଗ୍ରୀଷ୍ମକଷ୍ଟ ହରଣ କରେ । ପର୍ଯ୍ୟଟକମାନେ ଘନ ଜଙ୍ଗଲରେ ବୁଲାବୁଲି କରିପାରିବେ । ରାଜାଙ୍କ ଆସନ ଓ ଆବି ଜଳପ୍ରପାତ ବୁଲି ଯାଇପାରିବେ ନତୁବା ଶୀତଳ ତାଜା ହାୱାରେ ଫୂର୍ତ୍ତି କରିପାରିବେ ।