ମୁଁ ଯାଜପୁର କହୁଛି। ନୂଆ ସମୟ ସହ ନୂଆ ରୂପରେ ମୁଁ ଠିଆ ହୋଇଛି। ମୁଁ ବିନାଶ ଦେଖିଚି ବିକାଶ ବି ଦେଖୁଛି। ଦିନେ ଏଇଠୁ ସାରା ରାଜ୍ୟକୁ ଶାସନ ହେଉଥିଲା। ମୁନିଋଷିଙ୍କ ବେଦ ଧ୍ବନିରେ ମୋ ବକ୍ଷ ପ୍ରକମ୍ପିତ ହେଉଥିଲା। ପ୍ରସିଦ୍ଧ ଶକ୍ତିପୀଠ ତଥା ଗଦାକ୍ଷେତ୍ର ଭାବେ ମୁଁ ବେଶ୍ ପରିଚିତ। ମୁଁ ଯାଜପୁର, ନୂଆ ସହର, ନୂଆ ସ୍ବପ୍ନ । ଓଡିଶା ବିକାଶର ଉଦିୟମାନ ପ୍ରତୀକ । ଉନ୍ନତିର ଇତିହାସରେ ଯୋଡି ହୋଇ ଚାଲିଛି ଗୋଟିଏ ପରେ ଗୋଟିଏ ସଫଳତାର ଫର୍ଦ୍ଦ । ଏବେର ଯାଜପୁର ଦିନେ ଥିଲା ସମ୍ପୂର୍ଣ୍ଣ ଓଡିଶା । ସମୟର ଚକ ସହ ଏହି ସହର ଓଡିଆ ସଂସ୍କୃତି ଓ ପରମ୍ପରାକୁ ନେଇ ଆଗକୁ ଗଡିଚାଲିଲା ।
ସୋମବଂଶର ରାଜା ଯଯାତି କେଶରୀଙ୍କ ସମୟରେ ଯାଜପୁର ଥିଲା ଉତ୍କଳର ରାଜଧାନୀ । ସେହି ସମୟରେ ସେ ବୈତରଣୀ କୂଳରେ ଆୟୋଜନ କରିଥିଲେ ଦଶାଶ୍ବମେଧ ଯଜ୍ଞ । ବିଶ୍ବାସ ରହିଛି ଯଯାତି କେଶରୀଙ୍କ ନାମ ଅନୁସାରେ ପରବର୍ତ୍ତୀ ସମୟରେ ଯଯାତି ନଗର ପରିବର୍ତ୍ତିତ ହୋଇ ଯାଜପୁର ନାମରେ ପରିଣତ ହୋଇଥିଲା । କେବଳ ଏତିକି ନୁହେଁ କେହି କେହି କୁହନ୍ତି ଯଯାତି କେଶରୀ ଉତ୍ତର ଭାରତରୁ 10 ହଜାର ବ୍ରାହ୍ମଣ ଆଣି ଏଠାରେ ଦଶାଶ୍ବମେଧ ଯଜ୍ଞ କରିଥିଲେ । ତେଣୁ ଏହାର ନାମ ଥିଲା ଯଜ୍ଞପୁର ।
ଏହି ଜିଲ୍ଲା ଦିନେ ଥିଲା ବ୍ରାହ୍ମଣ ସଂସ୍କୃତିର ମୁଖ୍ୟ କେନ୍ଦ୍ର । 736ରୁ 931 ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ଭୌମକର ରାଜବଂଶୀଙ୍କର ଏହା ରାଜଧାନୀ ଥିଲା । ଅନ୍ୟପଟେ 1110 ଖ୍ରୀଷ୍ଟାବ୍ଦ ଯାଏଁ ଏଠାରେ ଥିଲା କେଶରୀ ବଂଶର ରାଜତ୍ବ । କେବଳ ମାତ୍ର ରାଜାରାଜୁଡା ଶାସନ ଓ ବ୍ରହ୍ମଣ ସମାଜ ପୁରାଣ ବର୍ଣ୍ଣିତ ରହିଛି ତାହା ନୁହେଁ ଯାଜପୁର ଉତ୍କଳରେ ଦେବୀ ପୂଜାର ପ୍ରଧାନ ପୀଠ ଭାବରେ ପରିଗଣିତ ହୋଇଥିଲା ମଧ୍ୟ । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ନାମ ଅନୁସାରେ ଏହାକୁ ବିରଜା କ୍ଷେତ୍ର ବୋଲି ମଧ୍ୟ କୁହାଯାଏ । 51 ଶକ୍ତି ପୀଠ ମଧ୍ୟରୁ ଏହି ଶକ୍ତିପୀଠ ଅନ୍ୟତମ । ଶାସ୍ତ୍ର ଅନୁସାରେ ରାଜା ଯକ୍ଷଙ୍କ ଯଜ୍ଞକୁଣ୍ଡରେ ଝାସ ଦେଇ ପ୍ରାଣ ହରାଇଥିବା ସତୀଙ୍କ ଶରୀରକୁ ମହେଶ୍ବର ଧରି ଯିବା ସମୟରେ ଏହାକୁ ଖଣ୍ଡବିଖଣ୍ଡିତ କରିଥିଲେ ବିଷ୍ଣୁ । ଏବଂ ସତୀଙ୍କ ନାଭି ଏହି ସ୍ଥାନରେ ପଡିଥିଲା । ତେଣୁ ସେହିଠାରେ ହି ନିର୍ମାଣ ହୋଇଥିଲା ଶକ୍ତିପୀଠ ବିରଜା ମନ୍ଦିର । ଏହାସହ ଏହି ଶକ୍ତିପୀଠରେ ରହିଛି ଏକ ସ୍ବତନ୍ତ୍ର ପୂଜା ବିଧି ।
ପ୍ରଥମ ଶକ୍ତିପୀଠ ଭାବରେ ଏଠାରେ ରହିଛି 108 ଶିବ ଲିଙ୍ଗ । ବ୍ରହ୍ମପୁରଣ ଅନୁସାରେ ଏହି କ୍ଷେତ୍ରରେ କୋଟିଏରୁ ଗୋଟିଏ ମାତ୍ର ଶିବ ଲିଙ୍ଗ କମ୍ ରହିଛି । ଇତିହାସ ଅନୁସାରେ ମା ବିରଜାଙ୍କ ମନ୍ଦିର ହେଉଛି ପ୍ରଥମ । ଯାହା ବିଷୟରେ ବ୍ୟାସଙ୍କ ମହାଭାରତ, ବାୟୁ ପୁରାଣ, ବାମନ ପୁରାଣ, କପିଳ ସଂହିତା, ବ୍ରହ୍ମ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, ତୀର୍ଥ ଚିନ୍ତା ମଣିରେ ବର୍ଣ୍ଣନା କରାଯାଇଛି । ସେହିପରି ବ୍ୟାସ ସରୋବର ଏହି ଭୂମିର ମହତ୍ବକୁ ଆହୁରି ଦ୍ବିଗୁଣିତ କରିଛି । ମହାକାବ୍ୟ ମହାଭାରତକୁ ମହର୍ଷି ବ୍ୟାସଦେବ ଏହିଠାରେ ଲେଖିଥିବା କିମ୍ବଦନ୍ତି କହେ । ପ୍ରାଚୀନ କାଳରେ ଓଡିଶା 2ଟି ସାଂସ୍କୃତିକ ମଣ୍ଡଳରେ ବିଭକ୍ତ ହୋଇଥିଲା । ଗୋଟିଏ ହେଉଛି ଶ୍ରୀକ୍ଷେତ୍ର ମଣ୍ଡଳ ଓ ଅନ୍ୟଟି ବିରଜା ମଣ୍ଡଳ । ତେଣୁ ବିରଜା ମଣ୍ଡଳରେ ସ୍ବତନ୍ତ୍ର ଭାବେ ବିରଜା ପାଞ୍ଜି ପ୍ରଚଳିତ ହୋଇଆସୁଛି । ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ରହିଛି ଛତିଆବଟ ଓ ମହାବିନାୟକ ମନ୍ଦିର । ଏହି ବିରଜା ମଣ୍ଡଳର ପ୍ରଶାସନିକ ନାମ ଥିଲା ଉତ୍କଳ ।
ଷୋଡଶ ଶତାବ୍ଦୀରେ ଓଡିଶା ଅଧିକାର ପାଇଁ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ହୋଇଥିବା ବାରମ୍ବାର ସଂଗ୍ରାମ କାରଣରୁ ଅନେକ ଐତିହାସିକ କୀର୍ତ୍ତିରାଜି ନଷ୍ଟ ହୋଇଥିଲା । ଯାଜପୁର ହେଉଛି ଓଡିଶାର ପ୍ରଥମ ସବଡିଭିଜନ୍ । 1859 ମସିହାରେ ପ୍ରଥମ ଥର ପାଇଁ ଇଂରେଜ ସରକାର କଟକ ଜିଲ୍ଲାରୁ ଏହାକୁ ଏକ ସବଡିଭିଜନ ଭାବେ ଗଢିଥିଲେ । ସମୟର ସୁଅରେ ଯାଜପୁର ଦେଖିଛି ସକାଳର ଶୁଭ୍ରତା ଓ ଅପରାହ୍ନର ଅପଛାୟା । 1993 ମସିହା ଏପ୍ରିଲ 1 ତାରିଖ । ଯାଜପୁର ପାଇଁ ଆସେ ଖୁସିର ଦିନ । ସ୍ବତନ୍ତ୍ର ଜିଲ୍ଲାର ପରିଚୟ ପାଏ ଯାଜପୁର । ସେହିପରି ସ୍ବାଧୀନତା ସଂଗ୍ରାମରେ ମଧ୍ୟ ଯାଜପୁରର ଭୂମିକା ଥିଲା ଖୁବ୍ ଗୁରୁତ୍ବପୂର୍ଣ୍ଣ । ବରୀ ଆଶ୍ରମ ଓଡିଶାରେ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ଏନ୍ତୁଡିଶାଳ । ଗୋପବନ୍ଧୁ ଚୌଧୁରୀ, ରମାଦେବୀଙ୍କ ସହ ଏହି ଜିଲ୍ଲାର ଅନେକ ଦେଶପ୍ରେମୀ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ସେପଟେ ବିଜୁ ପଟ୍ଟନାୟକ ଦେଖିଥିଲେ କଳିଙ୍ଗନଗରର ସ୍ବପ୍ନ । ଯାହାକୁ ପୁରଣ କରିଥିଲେ ତାଙ୍କ ପୁଅ ନବୀନ ପଟ୍ଟନାୟକ । ଦେଶର ସର୍ବବୃହତ ଇସ୍ପତ ଉତ୍ପାଦନ କେନ୍ଦ୍ର ।
ଖଣିଖାଦାନରେ ଭରପୁର ସୁକିନ୍ଦା ମଧ୍ୟ ଜିଲ୍ଲାକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ । ରାଜସ୍ବ ଅଭିବୃଦ୍ଧି ସହ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇବାରେ ରହିଛି ଏହାର ଗୁରୁତ୍ବପୂର୍ଣ୍ଣ ଅବଦାନ । ସମୟ ଚକରେ ଗଡିଚାଲେ ଦୁନିଆ । ସର୍ବଧର୍ମ ସମ୍ମନ୍ବୟର ଏହି ସହର ଭାଇଚାରାକୁ ନେଇ ସବୁବେଳେ ଆଗରେ । ବୌଦ୍ଧ କୀର୍ତ୍ତି ରାଜିରେ ଭରପୁର ଯାଜପୁରରେ ରହିଛି ପୁରାତନ କାଳରୁ ଲଳିତ ଗିରି ଓ ରତ୍ନ ଗିରି । ଯାହା ଏହାର ପର୍ଯ୍ୟଟନ ପରିଚୟକୁ ବଢାଇଥାଏ । ଏତିକି ନୁହେଁ କାରିଗରି ବିଦ୍ୟା ପାଇଁ ମଧ୍ୟ ଏହି ଜିଲ୍ଲା ରାଜ୍ୟକୁ ଦେଇଛି ଭିନ୍ନ ପରିଚୟ । ଗୋପାଳପୁର ଗାଁକୁ ମିଳିଛି ଟସର ସିଲ୍କ ପାଇଁ କେନ୍ଦ୍ର ପକ୍ଷରୁ ଜିଆଇ ଟ୍ୟାଗ୍ ।
ସତରେ ମୁଁ ବଦଳି ଯାଇଛି। ନୂଆ ନୂଆ ସ୍ବପ୍ନ ସହ ମୋତେ ରୂପରେଖ ଦେବା ପାଇଁ ଯୋଜନା ବି ହେଉଛି। କେତେ କବି କେତେ ଲେଖକ ମୋ ରୁପମାଧୁରିକୁ ତାଙ୍କ କାବ୍ୟ ସାହିତ୍ୟରେ ସ୍ଥାନ ବି ଦେଇଛନ୍ତି। ସତରେ ପରିବର୍ତ୍ତନ ସୁଅରେ ମୁଁ ବି ବଦଳି ଯାଇଛି।