ଫୁଲକୋବି ଆପଣଙ୍କୁ ରଖିବ ଫିଟ୍

ମୋଟାପଣ ଦୂର କରିବା ଫୁଲକୋବି

ଆଜିକାଲି ଦୁନିଆରେ କିଏ ବା ଫିଟ୍ ରହିବାକୁ ନ ଚାହୁଁଛି । ଯୁବପିଢ଼ିଙ୍କ ମଧ୍ୟରେ ଗୋଟିଏ ନିଶା କେମିତି ନିଜକୁ ଫିଟ୍ ରଖିବେ। ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଆଜିକାଲିର ଲୋକ । ବିଶେଷ କରି ମୋଟାପଣ ଅଧିକ ସମସ୍ୟା ସୃଷ୍ଟି କରିଥାଏ । ତେବେ ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛନ୍ତି, ତେବେ ଫୁଲକୋବି ଖାଇବା ଜରୁରୀ । ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ । ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ । ଫୁଲକୋବି ମୋଟାପଣ ଦୂର କରିବା ସହିତ ଶରୀରକୁ ଡଟକ୍ସିଫାଏ କରେ । ଶୀତଦିନେ କୋବିର ଚାହିଦା ବଢିଯାଏ । ସାଧାରଣତଃ ତିନି ପ୍ରକାରର କୋବି ଦେଖାଯାଏ ଫୁଲକୋବି, ପତ୍ରକୋବି ଏବଂ ଓଲକୋବି । ଏସବୁ କୋବିର ଗୁଣ ଅଲଗା । ଫୁଲକୋବି ଏକ ଶୀତକାଳୀନ ପନିପରିବା, କିନ୍ତୁ ଆଜିକାଲି ଏହା ପ୍ରାୟ ବର୍ଷର ଅନେକ ସମୟରେ ବଜାରରେ ମିଳେ । ତେବେ ଚମକଦାର ଓ ଉତ୍ତମ ଫୁଲକୋବି କେବଳ ଶୀତଦିନରେ ହିଁ ମିଳିଥାଏ ଏବଂ ଏହାର ସ୍ୱାଦ ମଧ୍ୟ ଖୁବ ଭଲ। ଏହା ଏକ ବିଦେଶୀ ପରିବା ହୋଇଥିବା ବେଳେ ବ୍ରିଟିଶ ଶାସନ କାଳରେ ଭାରତରେ ପହଞ୍ଚିବା ବିଶ୍ୱାସ କରାଯାଏ । ଶାକାହାରୀ ଲୋକମାନେ ଏହାକୁ ଖାଇବାକୁ ଖୁବ ପସନ୍ଦ କରନ୍ତି । ଏହାର ସ୍ୱତନ୍ତ୍ର ସ୍ୱାଦ ହେତୁ ଆମିଷାଶୀମାନେ ମଧ୍ୟ ଏହାକୁ ପସନ୍ଦ କରନ୍ତି ।

ଫୁଲକୋବିର ପୋଷକ ଗୁଣ:-

  • କୋବିରେ କମ୍ କ୍ୟାଲୋରୀ ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ସୋଡିୟମ୍, କାର୍ବୋହାଇଡ୍ରେଟ୍, ଫାଇବର, ପ୍ରୋଟିନ୍, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଥାଏ କିନ୍ତୁ ଏଥିରେ ଚର୍ବି ବହୁତ କମ୍ ଥାଏ। ଏହି ପୋଷକ ତତ୍ତ୍ୱ ଶରୀରକୁ ଫିଟ୍‌ ରଖିଥାଏ।

ଫୁଲକୋବିର ଉପକାରୀ ଗୁଣ :-

  • ଫୁଲକୋବିରେ ଥିବା ମିନେରାଲ୍ସ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ, ଯେଉଁ କାରଣରୁ ହୃଦୟର କାର୍ଯ୍ୟ ସ୍ୱାଭାବିକ ରୁହେ। ଏଥିରେ ମିଳୁଥିବା କ୍ରୁସିଫେରସ ଧମନୀରେ ରକ୍ତ ପ୍ରବାହକୁ ସନ୍ତୁଳିତ ରଖେ। ଫୁଲକୋବି ଖାଇବା ଶରୀରକୁ ଡିଟକ୍ସିଫାଏ କରିବାରେ ମଧ୍ୟ ସାହାଯ୍ୟ କରେ। କୋବିରେ ଗ୍ଲୁକୋସିନୋଲେଟ୍ ନାମକ ଏକ ସେକେଣ୍ଡାରୀ ମେଟାବୋଲାଇଟ୍ସ ଥାଏ। ଏହା ଲିଭରରୁ ବିଷାକ୍ତ ପଦାର୍ଥ ବାହାର କରୁଥିବା ଏନଜାଇମକୁ ବଢାଇଥାଏ।
  • ଏହା ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ। ଏଥିରେ କମ୍ କ୍ୟାଲୋରୀ ଏବଂ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ। ଏହାକୁ ଖାଇବା ଦ୍ୱାରା ପେଟ ପୂରିଯାଏ ଆଉ ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ରୁହେ। ଯେଉଁଥିପାଇଁ ଅଧିକ ଖାଦ୍ୟର ଆବଶ୍ୟକତା ପଡେ ନାହିଁ। ଫଳରେ ଶରୀରରୁ ମୋଟାପଣ ଦୂର ହୁଏ। ଏଥିରେ ଅଧିକ ପରିମାଣର ଫାଇବର ଥିବାରୁ କୋଷ୍ଟକାଠିନ୍ୟ ଭଳି ସମସ୍ୟା ଆସେ ନାହିଁ।

ଫୁଲକୋବିରେ ପ୍ରଚୁର ପରିମାଣର ଭିଟାମିନ୍ କେ ମିଳିଥାଏ, ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଏମିତି କିଛି ଜୈବ ଯୌଗିକ ମିଳିଥାଏ, ଯାହା ହାଡର ଘନତାକୁ ଉନ୍ନତ କରି ହାଡ ଭାଙ୍ଗିବାର ଆଶଙ୍କା କମାଇପାରେ। କୋବି ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଏହି ଉପାଦାନ ଶରୀରକୁ ମୁକ୍ତ ରେଡିକାଲ୍ ଦ୍ୱାରା ହୋଇଥିବା କ୍ଷତିରୁ ରକ୍ଷା କରିଥାଏ। ଯଦି ଆପଣ ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଫୁଲକୋବି ଖାଆନ୍ତୁ । ଶରୀରକୁ ସୁସ୍ଥ ରଖନ୍ତୁ ।