ସାଧାରଣ ଥଣ୍ଡା ନା କୋଭିଡ ? ଜାଣନ୍ତୁ ଲକ୍ଷଣ
ଋତୁ ପରିବର୍ତ୍ତନ ଯୋଗୁଁ ଲୋକଙ୍କ ଶାରୀରିକ ଅବସ୍ଥାରେ ବି ହୋଇଥାଏ ପରିବର୍ତ୍ତନ । ତେଣୁ ଶୀତ ଋତୁ ଆସିବା ସହ ଥଣ୍ଡା କାଶ, ଜ୍ବର, ଭାଇରାଲ ଜ୍ବର ଅଧିକାଂଶ ଲୋକଙ୍କ ଚିନ୍ତା ବଢାଇଥାଏ । ଶିଶୁ, ଯୁବକ ଓ ବୃଦ୍ଧ ସମସ୍ତେ ଏଥିରେ ଆକ୍ରାନ୍ତ ହେବା ସ୍ବାଭାବିକ । ଆଉ ଏବେ ଏଥିରେ କୋରୋନା ବି ସାମିଲ ହୋଇଛି । ମାତ୍ର ଏବେର କରୋନା ଭୟ ଯୋଗୁଁ ଲୋକେ ସାଧାରଣ ଥଣ୍ଡା ଓ କରୋନା ଥଣ୍ଡା ଭିତରେ ତଫାତ ଜାଣିପାରୁନାହାନ୍ତି । ଏଠାରେ କୋରୋନା କଥା ଏଥିପାଇଁ କୁହାଯାଉଛି ଯେ ଥଣ୍ଡା ଜ୍ବର ଓ କୋରୋନାର ଲକ୍ଷଣ ପ୍ରାୟତଃ ଏକା । ଏଥିପାଇଁ ଅଧିକାଂଶ ଲୋକେ ଜାଣିପାରୁ ନାହାନ୍ତି ଯେ ସେମାନଙ୍କୁ କୋରୋନା ହୋଇଛି ନା ସାଧାରଣ ଥଣ୍ଡାଜ୍ବର । ଆପଣ ବି ସେମିତି କିଛି ସମସ୍ୟା ଦେଇ ଗତି କରୁଛନ୍ତି କି ? କେମିତି ଜାଣିବେ ଲକ୍ଷଣ ?
ସାଧାରଣ ଥଣ୍ଡାର ଲକ୍ଷଣ-
ଥଣ୍ଡା ଓ ଜ୍ବରର ଲକ୍ଷଣ ପ୍ରାୟତଃ ସମାନ ହୋଇଥାଏ । ଇନଫ୍ଲୁଏଞ୍ଜା ଭାଇରସ କାରଣରୁ ଲୋକଙ୍କୁ ସାଧାରଣତଃ କଫ ହୋଇଥାଏ । ବିଶେଷଜ୍ଞଙ୍କ କହିବାନୁସାରେ ଫ୍ଲୁ ବେଳେବେଳେ ମାରାତ୍ମକ ହୋଇପଡେ । ରୋଗୀଙ୍କ ଶରୀର ଏଥିରେ ପ୍ରଭାବିତ ହୁଏ । ଥଣ୍ଡା, ଜ୍ବର, ମୁଣ୍ଡବ୍ୟଥା, ମାଂସପେଶୀ ଦରଜ ଏସବୁ ଲକ୍ଷଣ ଦେଖାଦେଇଥାଏ ।ସାଧାରଣ ଥଣ୍ଡା ହୋଇଥିଲେ ନାକରୁ ପାଣି ବାହାରିଥାଏ । ଅତ୍ୟଧିକ ଛିଙ୍କ ବା କାଶ ହୋଇଥାଏ । ଗଳା ଦରଜ ହେବା ସହ ନାକ ବି ବନ୍ଦ ହୋଇଯାଏ ।
କରୋନା ଥଣ୍ଡାର ଲକ୍ଷଣ-
କୋରୋନା ଲକ୍ଷଣରେ ଗଳା ଦରଜ, ନାକରୁ ପାଣି ବାହାରିବା, ମୁଣ୍ଡବ୍ୟଥା, ଥଣ୍ଡା, କ୍ଲାନ୍ତ, ସ୍ବାଦ ଓ ଗନ୍ଧ ଚାଲିଯାଇଥାଏ । ଏକ ପ୍ରକାର କହିବାକୁ ଗଲେ କୋରୋନାରେ ଥଣ୍ଡା ଓ ଫ୍ଲୁର ଲକ୍ଷଣ ଏକାଠି ଦେଖାଦେଇଥାଏ । ମାତ୍ର ଅଧିକ କ୍ଲାନ୍ତ ଓ କଷ୍ଟ ଅସହ୍ୟ ହେଲେ ରୋଗୀ କରୋନା ଟେଷ୍ଟ କରାଇବା ଆବଶ୍ୟକ ।
କାରଣ ଠିକ୍ ସମୟରେ ଟେଷ୍ଟ କରି ରୋଗୀଟି କରୋନା ସଂକ୍ରମିତ କି ନୁହେଁ ତାହା ଜାଣିବା ପରେ ଚିକିତ୍ସା କରାଇବା ପାଇଁ ଡାକ୍ତରଙ୍କୁ ସହଜ ହେବ । ଏଥିସହ ରୋଗୀଙ୍କ ପରିବାର ଲୋକେ ମଧ୍ୟ ସଂକ୍ରମଣ ଠାରୁ ଦୂରେଇ ରହିପାରିବେ । ସାରା ଦେଶରେ ଏବେ ପୁଣି ଥରେ କରୋନା ସଂକ୍ରମଣ ଲୋକଙ୍କ ନିଦ ହଜାଇ ଦେଇଛି । ତେଣୁ ସତର୍କ ରହିବା ସହ ଠିକ୍ ସମୟରେ ଠିକ୍ ପଦକ୍ଷେପ ସଂକ୍ରମଣ ସଂଖ୍ୟକୁ ହ୍ରାସ କରାଇବାରେ ସହଯୋଗ କରିବ ।