ବିମାନ ଦୁର୍ଘଟଣାରେ ୨ ପାଇଲଟ ମୃତ
ଆମେରିକାର ନେଭେଦା ଅନ୍ତର୍ଗତ ରିନୋଠାରେ ଚାଲିଥିବା ‘ରିନୋ ଏୟାର୍ ରେସିଙ୍ଗ୍’ ପ୍ରତିଯୋଗିତାରେ ଅଘଟଣ । ୨ଟି ବିମାନ ଦୁର୍ଘଟଣା ହେବାରୁ ସେଥିରେ ଥିବା ୨ଜଣ ପାଇଲଟଙ୍କର ମୃତ୍ୟୁ ହୋଇଛି । ଏନେଇ ‘ରିନୋ ଏୟାର୍ ରେସିଙ୍ଗ୍ ଆସୋସିଏସନ୍’ ପକ୍ଷରୁ ସୂଚନା ଦିଆଯାଇଛି । ‘ନ୍ୟାସ୍ନାଲ୍ ଚାମ୍ପିଅନ୍ସିପ୍ ଏୟାର୍ ରେସେସ୍’ର ‘ଟି-୬ ଗୋଲ୍ଡ୍ ରେସ୍’ ଶେଷ ହେବା ସମୟରେ ଅବତରଣ କରୁଥିବା ବେଳେ ବିମାନ ଦୁଇଟି ଆକାଶରେ ଧକ୍କାଖାଇଥିଲେ ବୋଲି ‘ଫେଡେରାଲ୍ ଏଭିଏସନ୍ ଆଡ୍ମିନିଷ୍ଟ୍ରେସନ୍’ କହିଛି । ଦୁର୍ଘଟଣାଗ୍ରସ୍ତ ବିମାନ ଦୁଇଟିର ଭଗ୍ନାଂଶ ପରସ୍ପରଠାରୁ ପ୍ରାୟ ଅଧକିଲୋମିଟର୍ ଦୂରେ ପଡ଼ିଥିବା ଦେଖିବାକୁ ମିଳୁଛି । ମୃତ ପାଇଲଟମାନଙ୍କ ନାମ ନିକ୍ ମେକି ଓ କ୍ରିସ୍ ରସିଙ୍ଗ୍ ବୋଲି ‘ଏୟାର୍ ରେସିଙ୍ଗ୍ ଆସୋସିଏସନ୍’ ଚିହ୍ନଟ କରିଛି । ୨ ପାଇଲଟ୍ ସୁଦକ୍ଷ ଏବଂ ‘ଟି-୬ କ୍ଲାସ୍’ରେ ସ୍ବର୍ଣ୍ଣ ପଦକ ବିଜୟୀ ଥିବା ଆସୋସିଏସନ୍ କହିଛି।