“ଗ୍ଲୋବାଲ ଓ୍ବାର୍ମିଂ ନୁହେଁ, ଗ୍ଲୋବାଲ ବଏଲିଂ”ର ଯୁଗ ଆରମ୍ଭ

ଆହୁରି ବଢିବ ବିଶ୍ବବ୍ୟାପୀ ଖାଦ୍ୟ ସଙ୍କଟ

ଚଳିତବର୍ଷର ଜୁଲାଇ ମାସ ମାନବ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ । ଏନେଇ ଘୋଷଣା କରିଛନ୍ତି ଜଳବାୟୁ ବିଜ୍ଞାନୀ । ଜାତିସଂଘ ଏବଂ ଆମେରିକାର ପ୍ରତିରକ୍ଷା ଗ‌ବେଷଣା ସଂସ୍ଥା ନାସା ମଧ୍ୟ ଏଥି‌ରେ ଏକମତ ହୋଇଛି। ନାସାର ଜଳବାୟୁ ବୈଜ୍ଞାନିକ ଗୋବିନ୍‌ ସିମିଟ୍‌ ଉପଗ୍ରହ ତଥ୍ୟର ବିଶ୍ଳେଷଣ କରି ଏଭଳି ତଥ୍ୟ ରଖିଥିବା ବେଳେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟେରସ କହିଛନ୍ତି, ଜୁଲାଇ ତାପମାତ୍ରା ମାନବ ଜାତି ସମ୍ମୁଖୀନ ହୋଇଥିବା ସବୁ ରେକର୍ଡକୁ ଭାଙ୍ଗିଛି। ଚଳିତ ବର୍ଷର ଜୁଲାଇ ବିଗତ କେତେ ଶହ ବର୍ଷ ମଧ୍ୟରେ ସବୁଠାରୁ ଉତ୍ତପ୍ତ ବୋଲି ଗତ ୨୧ ତାରିଖ ଦିନ ପ୍ରଥମେ ନାସା ଘୋଷଣା କରିଥିଲା।

ପ୍ରଶାନ୍ତ ମହାସାଗର ଏବଂ ଆଟଲାଣ୍ଟିକ୍ ମହାସାଗରରେ ଏଲ୍‌ନିନୋର ପ୍ରଭାବ ବୃଦ୍ଧି ଯୋଗୁ ତାପମାତ୍ରା ଅନେକ ସ୍ଥାନରେ ୪୨ ଡିଗ୍ରି ସେଲସିୟସ ଛୁଇଁଛି। ୧୮୦୦ ଦଶକରେ ତାପମାତ୍ରା ରେକର୍ଡ ରଖିବା ଆରମ୍ଭ ହେବା ପରଠାରୁ ଅଦ୍ୟାବଧି ୨୦୨୩ ସବୁଠୁ ଉତ୍ତପ୍ତ ବର୍ଷ ବୋଲି କୁହାଯାଇଥିବା ବେଳେ ଆଗକୁ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ଆହୁରି ବଢ଼ିବ ଏବଂ ବିଶ୍ବବ୍ୟାପୀ ଖାଦ୍ୟ ସଙ୍କଟ ଦେଖାଦେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଜାତିସଂଘ ମୁଖ୍ୟ କହିଛନ୍ତି ଯେ ଏବେ ‘ଗ୍ଲୋବାଲ ୱାର୍ମିଂ’ ବଦଳରେ ’ଗ୍ଲୋବାଲ ବଏଲିଂ’ର ଯୁଗ ଆରମ୍ଭ ହୋଇଛି । ବିଶ୍ବ ମାତ୍ରାଧିକ ତାପରେ ସନ୍ତୁଳି ହେବାକୁ ଯାଉଛି। ପୂରା ବିଶ୍ବରେ ଦେଖିବାକୁ ମିଳୁଥିବା ଅଭୂତପୂର୍ବ ଗ୍ରୀଷ୍ମଲହରି ମାନବ ସମାଜ ପାଇଁ ଆଗକୁ ଭୟଙ୍କର ବିପଦ ‌ଭାବେ ଉଭା ହେବ।